ଭୁବନେଶ୍ଵର: ବଙ୍ଗୋପସାଗରରେ ପୁଣି ସକ୍ରିୟ ହେଉଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ୨୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ପୁଣି ଥରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଅନ୍ୟପଟେ, ଉତ୍ତର ଝାଡ଼ଖଣ୍ଡ, ଦକ୍ଷିଣ-ପଶ୍ଚିମ ବିହାର ଓ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ରହିଥିବା ଅବପାତ ଦୁର୍ବଳ ହୋଇ ଏବେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଛତିଶଗଡ଼ ଓ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଅଗ୍ରସର ହେବ।
ପାଣିପାଗ ସ୍ଥିତି
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଡ଼ ଧରଣର ବର୍ଷାର ସମ୍ଭାବନା ନଥିବାରୁ କୌଣସି ଆଲର୍ଟ ଜାରି କରାଯାଇ ନାହିଁ। ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ସର୍ବାଧିକ ୨୧୭.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାରେ ଏହାର ପ୍ରଭାବ କେତେ ପଡ଼ିବ, ସେ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର କ୍ରମାଗତ ନଜର ରଖିଛି।
Also Read: କେଉଁ ଦିନ ବାନ୍ଧିବେ ରାକ୍ଷୀ? ୨୭ ନା ୨୮ ତାରିଖ, ଜାଣନ୍ତୁ....