ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଛି। ରାଜ୍ୟରେ ପୂର୍ବତନ ଡିଏମକେ ସରକାର ଅମଳର କଥିତ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଏକ ବଡ଼ ଚେତାବନୀ ଦେଇଛନ୍ତି। ବିଧାନସଭାରେ ଚାଲିଥିବା ବିତର୍କ ସମୟରେ ସେ କହିଛନ୍ତି ଯେ ତାଙ୍କ ଟେବୁଲ୍ରେ ଦୁର୍ନୀତି ସମ୍ବନ୍ଧୀୟ ଫାଇଲ୍ ରହିଛି ଏବଂ ସଠିକ୍ ସମୟ ଆସିଲେ ସେଗୁଡ଼ିକୁ ସର୍ବସାଧାରଣ କରାଇବେ।
ପୂର୍ବତନ ସରକାରୀ କାର୍ଯ୍ୟକାଳର ଦୁର୍ନୀତି ଫାଇଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ରାସ୍ତା ନିର୍ମାଣ ଏବଂ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ଶାସକ ଟିଭିକେ (TVK) ଓ ବିରୋଧୀ ଡିଏମକେ ମଧ୍ୟରେ ପ୍ରବଳ ବାକ୍ଯୁଦ୍ଧ ହୋଇଛି। ବିରୋଧୀମାନେ ପ୍ରମାଣ ମାଗିବା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପାଖରେ ସବୁ ତଥ୍ୟ ମହଜୁଦ୍ ରହିଛି।
ବିଧାନସଭା ଅଧିବେଶନ ସମୟରେ ରାସ୍ତା ନିର୍ମାଣ ଏବଂ ସରକାରୀ ଯୋଜନାରେ ଅନିୟମିତତା ଅଭିଯୋଗକୁ ନେଇ ପରିସ୍ଥିତି ସରଗରମ ହୋଇଉଠିଥିଲା। ବିରୋଧୀ ଡିଏମକେ ନେତାମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଥିଲେ। ଏହାର ଜବାବରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ପୂର୍ବ ସରକାର ଅମଳର ଦୁର୍ନୀତି ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲେ।
ଏହି ସମୟରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ପୂର୍ବତନ ଡିଏମକେ ଶାସନ କାଳର ଦୁର୍ନୀତିକୁ ନେଇ ବିସ୍ତୃତ ତଥ୍ୟ ତାଙ୍କ ଟେବୁଲ୍ ଉପରେ ରହିଛି। ବିରୋଧୀମାନେ ବର୍ତ୍ତମାନ ଏହାକୁ ନେଇ ଅଧିକ ଚାପ ସୃଷ୍ଟି ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ଠିକ୍ ସମୟ ଆସିଲେ ଏସବୁ ଫାଇଲ୍ ଖୋଲାଯିବ ଏବଂ ସତ୍ୟ ସାମ୍ନାକୁ ଆସିବ ବୋଲି ସେ ଚେତାବନୀ ଦେଇଛନ୍ତି।