କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଏକ କଥିତ ଘୃଣାସୂଚକ ମନ୍ତବ୍ୟ ମାମଲାରେ ବାରମ୍ବାର କୋର୍ଟର ସମନ ସତ୍ତ୍ୱେ ହାଜର ନହେବାରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ପଶ୍ଚିମବଙ୍ଗର କୃଷ୍ଣନଗର କୋର୍ଟ।
ବୁଧବାର କୃଷ୍ଣନଗର କୋର୍ଟର ତୃତୀୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ତୁରନ୍ତ ଗିରଫ ପରୱାନା ଜାରି କରିବାକୁ ନିର୍ଦ୍ଦେଶ ଦେବା ସହ ଅଗଷ୍ଟ ୨୮ ସୁଦ୍ଧା ଏହାର ଏକ୍ଜିକ୍ୟୁସନ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ବାରମ୍ବାର ସମନ, ତଥାପି ହାଜର ହେଲେନି
ମଙ୍ଗଳବାର କୋର୍ଟ ମହୁଆ ମୋଇତ୍ରଙ୍କୁ ବୁଧବାର ହାଜର ହେବାକୁ କହିଥିଲେ। କିନ୍ତୁ ସେ କୋର୍ଟରେ ଉପସ୍ଥିତ ହୋଇନଥିଲେ। ତାଙ୍କ ଓକିଲ କୋର୍ଟକୁ କହିଥିଲେ ଯେ କୋର୍ଟ ପରିସର ବାହାରେ ତାଙ୍କୁ ହେକଲିଂ ବା ଅପମାନିତ କରାଯିବାର ଆଶଙ୍କା ଥିବାରୁ ସାଂସଦ କୌଣସି ସମୟରେ ମଧ୍ୟ ହାଜର ହେବେ ନାହିଁ।
ତେବେ ମହୁଆଙ୍କ ବାରମ୍ବାର ଅନୁପସ୍ଥିତିକୁ କୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଅଦାଲତଙ୍କ ଆଦେଶ ପାଳନ କରିବାରେ ତାଙ୍କ ଆଚରଣକୁ “lackadaisical approach” ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି। କୋର୍ଟ କହିଛନ୍ତି, ବାରମ୍ବାର ଆଦେଶ ଅବମାନନା କରାଯାଇଥିବାରୁ ଗିରଫ ପରୱାନା ଜାରି କରିବା ବ୍ୟତୀତ ଅନ୍ୟ ବିକଳ୍ପ ରହୁନାହିଁ।
କ’ଣ ରହିଛି ମାମଲା?
ମହୁଆ ମୋଇତ୍ରଙ୍କ ବିରୋଧରେ ଏହି ଅଭିଯୋଗ ଏକ ଭିଡିଓ ବାର୍ତ୍ତାକୁ ନେଇ ହୋଇଛି। କୃଷ୍ଣନଗରରେ ଏକ ଘଟଣା ପରେ କିଛି ମହିଳା କୋର୍ଟ ବାହାରେ ଅଣ୍ଡା ଧରି ଏକାଠି ହୋଇଥିଲେ। ମହୁଆ କୋର୍ଟରେ ହାଜର ହେବେ ବୋଲି ଖବର ପାଇ ସେମାନେ ସେଠାରେ ଜମା ହୋଇଥିବା ଅଭିଯୋଗ ରହିଛି।
ଏହାପରେ ମହୁଆ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ, ଯାହା ପରେ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇଥିଲା। ତାଙ୍କ ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ କରିଥିବା ଏବଂ ଦୁଇ ଧର୍ମ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ କରି ମାମଲା ଦାୟର ହୋଇଥିଲା।
ଜୁନ୍ ୧୭, ୨୦୨୬ରେ କୃଷ୍ଣନଗର କୋର୍ଟରେ ଏହି ଅଭିଯୋଗ ଦାଖଲ ହୋଇଥିଲା। ଏହା ସହ ଜଡ଼ିତ ଭାବେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଅଗଷ୍ଟ ୨୮ରେ ରହିଛି ନଜର
ମହୁଆ ମୋଇତ୍ରଙ୍କୁ କୋର୍ଟ ଏକାଧିକ ଥର ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମଧ୍ୟ ସୁଯୋଗ ଦିଆଯାଇଥିଲା। ହେଲେ ସେ ହାଜର ନହେବା ପରେ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି।
ଏବେ ଅଗଷ୍ଟ ୨୮ରେ ପୁଲିସ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି କି ନାହିଁ, ସେନେଇ ରିପୋର୍ଟ ଦାଖଲ କରିବ। ଏହା ସହ ମହୁଆ ମୋଇତ୍ରଙ୍କ ବିରୋଧରେ ଚାଲିଥିବା ମାମଲା ଏବେ ନୂଆ ମୋଡ଼ ନେଇଛି।