ଭୁବନେଶ୍ୱର: ଓଡ଼ିଶାକୁ ତିନୋଟି ରେଳ ପ୍ରକଳ୍ପ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥନୈତିକ ବ୍ୟପାର ବିଭାଗକୁ ଚିଠି ଜରିଆରେ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ସରକାର ।
ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ ମନ୍ତ୍ରାଳୟର ଚାରୋଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲାକୁ ସଂଯୋଗ କରୁଥିବା ଚାରୋଟି ମଲ୍ଟି ଟ୍ରାକିଂ ପ୍ରକଳ୍ପ ରହିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଖଡ଼ଗପୁର – ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ, ୧୭୩ କିଲୋମିଟର (ପଶ୍ଚିମବଙ୍ଗ ଓ ଓଡ଼ିଶା), ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନ, ୭୫ କିଲୋମିଟର (ଓଡ଼ିଶା), ଗୁମ୍ମିଡିପୁଣ୍ଡି – ଗୁଡୁର ତୃତୀୟ ଏବଂ ଚତୁର୍ଥ ଲାଇନ, ୯୦ କିଲୋମିଟର (ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ) ଏବଂ କଟକ – ପାରାଦୀପ (ବଡ଼ବନ୍ଧ) ତୃତୀୟ, ଚତୁର୍ଥ ଲାଇନ ୭୨ କିଲୋମିଟର (ଓଡ଼ିଶା) ଅନ୍ତର୍ଭୁକ୍ତ । ଏହା ବିଦ୍ୟମାନ ନେଟୱାର୍କକୁ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି କରିବ । ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପଗୁଡ଼ିକ ପ୍ରାୟ ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୬,୪୪୮ ଗ୍ରାମକୁ ସଂଯୋଗ ବୃଦ୍ଧି କରିବ । ଅନୁମୋଦିତ ପ୍ରକଳ୍ପ ପାଇଁ ଆନୁମାନିକ ୯,୪୫୦ କୋଟି ଟଙ୍କା ବ୍ୟୟମଞ୍ଜୁର କରାଯାଇଥିବା ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ ଯୋଜନା କରାଯାଇଛି ଯାହା ସମନ୍ୱିତ ଯୋଜନା ଏବଂ ଅଂଶୀଦାରମାନଙ୍କ ପରାମର୍ଶ ମାଧ୍ୟମରେ ବହୁ-ମୋଡାଲ ସଂଯୋଗ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଲୋକ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ସୁଗମ ସଂଯୋଗ ପ୍ରଦାନ କରିବ ।
ପ୍ରସ୍ତାବିତ ରେଳ ପ୍ରକଳ୍ପ ଦ୍ୱାରା କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା’ ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ତାଳସାରି-ଉଦୟପୁର ଏବଂ ଚାନ୍ଦିପୁର ବେଳାଭୂମି, ପୁଲିକଟ ହ୍ରଦ, ନେଲାପଟୁ ପକ୍ଷୀ ଅଭୟାରଣ୍ୟ, ଭଗବାନ ବୀରରାଘବ ପେରୁମାଲ ମନ୍ଦିର, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଶାରଳା ମନ୍ଦିର, ଧବଳେଶ୍ୱର ମନ୍ଦିର, ଲଳିତଗିରି ବୌଦ୍ଧ ସ୍ଥଳ ମଧ୍ୟରେ ସଂଯୋଗ ସ୍ଥାପନ କରିବା ସହିତ ରାଜ୍ୟର ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ସଂଯୋଗୀକରଣ ବଢ଼ିବା ସହିତ ଲୋକଙ୍କ ଜୀବନ ଜୀବିକା ଉନ୍ନତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।