ନୂଆଦିଲ୍ଲୀ: ଦେଶ ପାଳୁଛି ସ୍ୱାଧୀନତା ଦିବସ ଏବଂ ଏହି ପବିତ୍ର ଅବସରରେ ଭାରତୀୟ ପୁରୁଷ ହକି ଦଳ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେଇଛି। ୧୫ ଅଗଷ୍ଟ ୨୦୨୬ରେ ଆରମ୍ଭ ହୋଇଥିବା ଏଫ୍.ଆଇ.ଏଚ୍. (FIH) ହକି ବିଶ୍ୱକପ୍ରେ ଭାରତ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ନେଦରଲ୍ୟାଣ୍ଡର ଆମ୍ଷ୍ଟରଡାମ୍ ସ୍ଥିତ ଓ୍ୱାଗନର୍ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍ରେ ଭାରତୀୟ ଦଳ ୱେଲ୍ସକୁ ୩-୧ ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଏବଂ ସଞ୍ଜୟ ଦମଦାର୍ ପ୍ରଦର୍ଶନ କରି ଗୋଲ୍ ଦାଗିଥିଲେ।
ପ୍ରଥମ କ୍ୱାର୍ଟରରୁ ହିଁ ଭାରତର ଦବଦବା
ପୂଲ-ଡି'ର ଏହି ମ୍ୟାଚ୍ ଆରମ୍ଭରୁ ହିଁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ। ମ୍ୟାଚ୍ ଆରମ୍ଭର ମାତ୍ର ୮ମ ମିନିଟ୍ରେ ତାରକା ଡିଫେଣ୍ଡର ସଞ୍ଜୟ ଏକ ଚମତ୍କାର ଫିଲ୍ଡ ଗୋଲ୍ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ।ଏହାର ମାତ୍ର ତିନି ମିନିଟ୍ ପରେ ଅର୍ଥାତ୍ ୧୧ତମ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂହ ଆଉ ଏକ ଗୋଲ୍ କରି ଦଳକୁ ୨-୦ ଅଗ୍ରଣୀ କରିଥିଲେ। ଫଳରେ ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା।
ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟରର ଖେଳ
ମ୍ୟାଚ୍ର ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍ ଦେଖିବାକୁ ମିଳି ନଥିଲା। ଯଦିଓ ଭାରତୀୟ ଟିମ୍ କିଛି ଭଲ ପାସ୍ ଏବଂ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, କିନ୍ତୁ ସେଗୁଡ଼ିକୁ ଗୋଲ୍ରେ ପରିଣତ କରିବାରେ ସଫଳ ହୋଇ ନଥିଲେ। ତୃତୀୟ କ୍ୱାର୍ଟର ଆରମ୍ଭ ହେବା ମାତ୍ରେ ଅଧିନାୟକ ହରମନପ୍ରୀତଙ୍କ ଜାଦୁ ପୁଣି ଥରେ ଦେଖିବାକୁ ମିଳିଥିଲା। ୪୩ତମ ମିନିଟ୍ରେ ସେ ଏକ ଦମଦାର୍ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ବଦଳାଇ ଦଳର ସ୍କୋରକୁ ୩-୦ କରିଥିଲେ। ଏହି ଗୋଲ୍ ସହିତ ଭାରତର ବିଜୟ ପ୍ରାୟତଃ ନିଶ୍ଚିତ ହୋଇଯାଇଥିଲା।
ଶେଷ କ୍ୱାର୍ଟରରେ ୱେଲ୍ସର ପ୍ରତ୍ୟାବର୍ତ୍ତନ ପ୍ରୟାସ
ତିନୋଟି କ୍ୱାର୍ଟର ସରିବା ବେଳକୁ ଭାରତ ୩-୦ ଗୋଲ୍ରେ ଆଗୁଆ ଥିଲା। ମ୍ୟାଚ୍ର ଶେଷ ୧୫ ମିନିଟ୍ ଅର୍ଥାତ୍ ଚତୁର୍ଥ କ୍ୱାର୍ଟରରେ ୱେଲ୍ସ ଦଳ ମ୍ୟାଚ୍କୁ ଫେରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲା। ୫୬ତମ ମିନିଟ୍ରେ ୱେଲ୍ସର ସ୍ୟାମ୍ ଓ୍ୱେଲ୍ସ ଦଳ ପାଇଁ ମ୍ୟାଚ୍ର ପ୍ରଥମ ତଥା ଏକମାତ୍ର ଗୋଲ୍ସ ଦେଇଥିଲେ । କିନ୍ତୁ ସେତେବଳକୁ ବହୁତ ଡ଼େରି ହୋଇସାରିଥିଲା। ନିର୍ଦ୍ଧାରିତ ସମୟ ଶେଷ ହେବା ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରତିରକ୍ଷା ବଜାୟ ରଖିଥିଲେ ଏବଂ ମ୍ୟାଚ୍କୁ ୩-୧ ଗୋଲ୍ରେ ଜିତି ବିଶ୍ୱକପ୍ ଅଭିଯାନର ଚମତ୍କାର ଆରମ୍ଭ କରିଥିଲେ।