ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହେଲା ଜୀବନର ଶେଷ ଦର୍ଶନ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ଜଣେ ଶ୍ରଦ୍ଧାଳୁ । ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଶ୍ରୀମନ୍ଦିର ପରିସରରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ପୁରୀ ବଡ଼ ମେଡିକାଲରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ ମୃତକ ହେଉଛନ୍ତି ଯାଜପୁର ଅଲାରପୁର ଅଞ୍ଚଳର ନୀଳକଣ୍ଠ ଦାସ (୭୫) । ତେବେ ମୃତ୍ୟୁର କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ। ଏ ସମ୍ପର୍କରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରହିଛି। ମୃତକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ମୃତକଙ୍କ ପତ୍ନୀ ମିନତୀ ଦାଶ କହିଛନ୍ତି ଯେ ସେ ସ୍ୱାମୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀ ଆସିଥିଲେ । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବା ବେଳେ ହଠାତ୍ ମୋ ସ୍ୱାମୀ ଅସୁସ୍ଥ ହୋଇପଡ଼ିଲେ । ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପୂର୍ବରୁ ସ୍ୱାମୀଙ୍କର ସେଭଳି କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲା ବୋଲି ମିନତୀ କହିଛନ୍ତି।