ଭୁବନେଶ୍ୱର : ବିପଦ ସଂକେତ ଅତିକ୍ରମ କଲା ସୁବର୍ଣ୍ଣରେଖା । ରାଜଘାଟ ଠାରେ ବିପଦ ସଂକେତ ୧୦. ୩୬ ମିଟର ଥିଲା ବେଳେ ଆଜି ଅପରାହ୍ନ ୧ଟା ବେଳକୁ ଜଳସ୍ତର ୧୦. ୩୯ମିଟର ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ମଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିଲା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬. ୯୮ ମିଟରରେ ପ୍ରବାହିତ ହେଉଛି ।
ବର୍ତ୍ତମାନ ସମୟରେ ତଳିଆ ଅଂଚଳ ଯଥା ବାଲିଆପାଳ ବ୍ଲକ ଚୌଧୁରୀକୁଦ ଚଟଣାରେ ୨ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି । ସେପଟେ ଏବେବି ଜଳକାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଜଳକା ନଦୀର ଦ୍ଵିତୀୟ ବନ୍ୟା ଆସିବାରୁ ବସ୍ତା ବ୍ଲକର ୧୦ଟି ପଂଚାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ୩୦ରୁ ଅଧିକ ଗାଁ ଏବେବି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଅନେକ ଲୋକଙ୍କ ଘରେ ପାଣି ପଶିଛି, ଅନେକ ଘରର କାନ୍ଥ ଭାଙ୍ଗିଯାଇଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଲହଡି ମାରୁଛି ।
ତେବେ ଆଗକୁ ପୁଣି ଆଉ ଏକ ଲଘୁଚାପ ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯଦି ବର୍ଷାର ପରିମାଣ ଏପରି ଭାବରେ ବଢ଼ିଚାଲେ ତେବେ ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ ହେବା ଆଶଙ୍କା କରାଯାଉଛି ।