ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ମହାନଦୀରେ ବର୍ତ୍ତମାନ ଆଦୌ ବନ୍ୟା ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ତେବେ ଜଳକା ଓ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆଖୁଆପଦାରେ ବୈତରଣୀର ଜଳସ୍ତର ଆଜି କମିଛି। ଆସନ୍ତାକାଲି ସୁଦ୍ଧା ଏଠାରେ ପାଣି ପୂରା କମିଯିବା ଆଶା କରାଯାଉଛି। ଅନ୍ୟପଟେ ଜଳକା ନଦୀର ପାଣି ଯୋଗୁଁ ବସ୍ତା ଓ ବାଲେଶ୍ୱର ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି।
ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି ଏବଂ ସେଠାରେ ବନ୍ୟା ପରିସ୍ଥିତି ନାହିଁ। ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟା ନଥିବା ସ୍ପଷ୍ଟ କରାଯାଇଛି। ତେବେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଆଜି ରାତିରେ ରାଜଘାଟ ନିକଟରେ ବଢ଼ିପାରେ ବୋଲି ସତର୍କ କରାଯାଇଛି।
ବର୍ତ୍ତମାନ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛି ଅଞ୍ଚଳ ଜଳବନ୍ଦୀ ରହିଛି। ଏହି ଅଞ୍ଚଳଗୁଡ଼ିକରୁ ପାଣି ସମ୍ପୂର୍ଣ୍ଣ ଭାବେ ନିଷ୍କାସନ ହେବାକୁ ପ୍ରାୟ ୩ରୁ ୪ ଦିନ ସମୟ ଲାଗିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ବର୍ଷା କମିବା ସହ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ଧୀରେଧୀରେ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ପରିସ୍ଥିତିରେ ସୁଧାର ଆସିବା ଆଶା କରାଯାଉଛି।