ଭୁବନେଶ୍ୱର: ସ୍ୱାଧୀନତା ଦିବସ ମଧ୍ୟରେ ରାଜ୍ୟରେ ବଦଳିପାରେ ପାଗ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, କଟକ ସହର, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।
ବିଶେଷକରି ବଜ୍ରପାତ ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଗର ପରିବର୍ତ୍ତନ ଉପରେ ନଜର ରଖିବା ସହ ପରିସ୍ଥିତି ଖରାପ ହେଲେ ଯାତାୟାତ କିମ୍ବା ବାହାର କାର୍ଯ୍ୟକ୍ରମ ଯୋଜନାକୁ ସେହି ଅନୁଯାୟୀ ବଦଳାଇବାକୁ କୁହାଯାଇଛି।
ବର୍ଷା ସହ ବଜ୍ରପାତ ଆଶଙ୍କା ଥିବାରୁ ଲୋକେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ନରହି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।