ଭୁବନେଶ୍ୱର: ରାଜ୍ୟର ଭତ୍ତା ଅପେକ୍ଷାରେ ଥିବା ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ନୂତନ ହିତାଧିକାରୀମାନେ ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେବାକୁ ଯାଉଛନ୍ତି। ପେନସନ୍ ପାଇଁ ପଡ଼ିରହିଥିବା ସମସ୍ତ ପେଣ୍ଡିଂ ଆବେଦନଗୁଡ଼ିକୁ ତୁରନ୍ତ ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ମିଶନ ମୋଡ଼ରେ କାମ କରି ଅଗଷ୍ଟ ୧୮ ତାରିଖ ସୁଦ୍ଧା ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି।
୩୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଉଛନ୍ତି ପେନସନ୍
ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ ଲକ୍ଷ ୭୫ ହଜାରରୁ ଅଧିକ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରେ ନିୟମିତ ଭତ୍ତା ପାଉଛନ୍ତି। ତେବେ ଅନେକ ଦିନରୁ ନୂତନ ଆବେଦନଗୁଡ଼ିକ ବିଭିନ୍ନ ସ୍ତରରେ ପଡ଼ିରହିଥିବାରୁ ଯୋଗ୍ୟ ହିତାଧିକାରୀମାନେ ଚିନ୍ତାରେ ଥିଲେ। ଅଗଷ୍ଟ ୧୨ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୬୩,୮୪୮ଟି ଅନଲାଇନ୍ ଆବେଦନ ବିନା ଯାଞ୍ଚରେ ପଡ଼ିରହିଥିବା ନଜରକୁ ଆସିଛି।
କେଉଁଠି ଅଟକି ରହିଛି ଆବେଦନ?
ସୂଚନା ଅନୁଯାୟୀ, ଏହି ପେଣ୍ଡିଂ ଆବେଦନଗୁଡ଼ିକ ମୁଖ୍ୟତଃ ବ୍ଲକ୍ ସ୍ତରରେ BSSO ଏବଂ ବିଭିନ୍ନ ପୌରାଞ୍ଚଳ କାର୍ଯ୍ୟାଳୟରେ ପଡ଼ିରହିଛି। ଏହି ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ଅଯୋଗ୍ୟ ଆବେଦନକାରୀମାନେ ବାଦ୍ ପଡ଼ିବେ ଏବଂ ତଥ୍ୟ ସ୍ୱଚ୍ଛ ହେବା ସହ ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପେନସନ୍ ପାଇବାର ସମସ୍ତ ରାସ୍ତା ଫିଟିଯିବ।
ଅଗଷ୍ଟ ୧୮ କଟ୍-ଅଫ୍ ତାରିଖ
ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରମୁଖ ଶାସନ ସଚିବ ସମସ୍ତ ଜିଲ୍ଲାପାଳ, RDC (ରାଞ୍ଚସ୍ୱ କମିଶନର) ଏବଂ DSSO (ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ)ଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି। ଆଗାମୀ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଏହି ସମସ୍ତ ପେଣ୍ଡିଂ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ବିନା କୌଣସି ଅସୁବିଧାରେ ଶୀଘ୍ର ଭତ୍ତା ପାଇପାରିବେ ବୋଲି ଆଶା କରାଯାଉଛି।