ଓଡ଼ିଶାରେ ଆହୁରି ମଜବୁତ ହେବ ମୋବାଇଲ ନେଟୱର୍କ। ରାଜ୍ୟର ସହରଠାରୁ ଆରମ୍ଭ କରି ଦୁର୍ଗମ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମୋବାଇଲ କନେକ୍ଟିଭିଟି ବଢ଼ାଇବା ପାଇଁ ଲାଗିବ ୧,୦୦୦ ନୂଆ BSNL ୪G ମୋବାଇଲ ଟାୱାର। ଏହି ପଦକ୍ଷେପ ଫଳରେ ଅନେକ ଅନକଭର୍ଡ ଅଞ୍ଚଳରେ ଉନ୍ନତ ଟେଲିକମ୍ ସେବା ମିଳିବା ଆଶା କରାଯାଉଛି।
ଯୋଜନା ଅନୁସାରେ, ୧,୦୦୦ ଟାୱାର ମଧ୍ୟରୁ ୯୬୦ଟି ଟାୱାର ଓଡ଼ିଶାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ସ୍ଥାପନ କରାଯିବ। ସେହିପରି ରାଜଧାନୀ ଭୁବନେଶ୍ୱରରେ ଅତିରିକ୍ତ ୪୦ଟି ଟାୱାର ଲାଗିବ। ଏହା ଫଳରେ ବିଶେଷକରି ଦୁର୍ବଳ ନେଟୱର୍କ ଥିବା ଅଞ୍ଚଳର ଲୋକଙ୍କୁ ଉପକୃତ କରିବ।
କେବଳ ମୋବାଇଲ ନେଟୱର୍କ ନୁହେଁ, ରାଜ୍ୟର ଡିଜିଟାଲ ଭିତ୍ତିଭୂମିକୁ ମଧ୍ୟ ମଜବୁତ କରାଯିବ। ୫,୦୦୦ରୁ ଅଧିକ ମାଧ୍ୟମିକ ବିଦ୍ୟାଳୟ, ପ୍ରାୟ ୧,୧୦୦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୬,୫୦୦ରୁ ଅଧିକ ଦ୍ୱିତୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସହ ଯୋଡ଼ାଯିବ।
କେନ୍ଦ୍ର ସରକାରଙ୍କ Digital Bharat Nidhi (DBN) ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବ। ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ଟାୱାର ସ୍ଥାପନ କାମ ଶେଷ କରିବାକୁ ଯୋଜନା ରହିଛି।
BSNL ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ଡି.କେ. ବେହେରା କହିଛନ୍ତି, ଚଳିତ ବର୍ଷ ୧,୦୦୦ ନୂଆ ଟାୱାର ସ୍ଥାପନ ପାଇଁ ଯୋଜନା ହୋଇଛି। ଏଥିରେ ଗ୍ରାମାଞ୍ଚଳ ଓ ସହରର ଅନକଭର୍ଡ ଅଞ୍ଚଳକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।