ସୁନ୍ଦରଗଡ : ୮୦ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ଆଜି ସ୍ଥାନୀୟ ସ୍ବୟଂଶାସିତ ମହାବିଦ୍ୟାଳୟ ନିକଟସ୍ଥ ଯାତ୍ରା ପଡ଼ିଆରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦକ ଗ୍ରହଣ କରି ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୁନ୍ଦରଗଡ଼ର ଆରାଧ୍ଯା ଦେବୀ ମା ସମଲେଶ୍ବରୀ ଓ ସ୍ବାଧୀନତା ସଂଗ୍ରାମୀ ଜଗନ ତନ୍ତୀ, ନିର୍ମଳ ମୁଣ୍ଡା ଓ ବୀର ବିର୍ସା ମୁଣ୍ଡା, ଦ୍ବାରିକାନାଥ କୁସୁମଙ୍କୁ ନମନ ଜଣାଇ ସେ ବନ୍ଦେ ମାତରଂ ଧ୍ବନୀ ସହ ଦେଶର ବିକାଶ ଦ୍ରୁତଗତିରେ ଆଗଉଥିବା ପ୍ରକାଶ କରିଥିଲେ।
ସେ ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରେ ସାର୍ଥକ ସ୍କୁଲ, ଆସ୍ଥାଗୃହ, ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଜିଲ୍ଲା କାରାଗାର ସମେତ ଭବାନୀପୁର ସ୍କୁଲପଡ଼ା ଅଙ୍ଗନବାଡ଼ି ଶିଶୁଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ଏହାପରେ ଅପରାହ୍ଣରେ ସେ ବାଲିଶଙ୍କରା ବ୍ଲକ୍ ଘୋଘରକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଛନ୍ତି।
ସେହିପରି ଉପମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ମଧ୍ଯ ପୋଷ୍ଟ କରି କହିଛନ୍ତି ଯେ ଆଜି ସୁନ୍ଦରଗଡ଼ଠାରେ ଆୟୋଜିତ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଲି । ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥିବା ଏବଂ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଓ ବୀର ସହିଦ ମାନଙ୍କୁ ସ୍ମରଣ କଲି ।
ଆଜିର ଦିନ, ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ଆଦର୍ଶର ପ୍ରେରଣାରେ ଏକ ସମୃଦ୍ଧ, ଆତ୍ମନିର୍ଭର ଓ ବିକଶିତ ଓଡ଼ିଶା ସହ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାର ଦିନ ।