ଭୁବନେଶ୍ୱର: ଓଡ଼ିଶାରେ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟରେ ନିବେଶକଙ୍କ ବିଶ୍ୱାସ ବଢ଼ିଛି। ଏପରିକି ଦେଶର ଅଗ୍ରଣୀ ଶିଳ୍ପପତିମାନେ ମଧ୍ୟ ଏବେ କହୁଛନ୍ତି, ‘ୟହି ସମୟ ହୈ, ସହି ସମୟ ହୈ’, ଅର୍ଥାତ୍ ଓଡ଼ିଶାରେ ନିବେଶ ପାଇଁ ଏହା ହିଁ ଉପଯୁକ୍ତ ସମୟ। ୮୦ତମ ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପ୍ରତି ନିବେଶକଙ୍କ ଆସ୍ଥା ଆଜି ଅଧିକ ମଜବୁତ ହୋଇଛି। NITI Aayog Investment Friendliness Index 2026ରେ ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟରେ ନିବେଶ ପାଇଁ ଏକ ସୁଦୃଢ଼ ଓ ଅନୁକୂଳ ଇକୋସିଷ୍ଟମ୍ ସୃଷ୍ଟି ହୋଇଥିବା ସେ କହିଛନ୍ତି।
ଭିତ୍ତିଭୂମି ବିକାଶରେ ଜିଡିପିର ୬.୫% ଖର୍ଚ୍ଚ
କୌଣସି ରାଜ୍ୟ କିମ୍ବା ଦେଶର ବିକାଶ ପାଇଁ ଭିତ୍ତିଭୂମି ଅତ୍ୟନ୍ତ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡବଲ୍ ଇଞ୍ଜିନ୍ ସରକାରର ବିକାଶ ମଡେଲରେ ଭିତ୍ତିଭୂମିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ State GDPର ୬.୫ ପ୍ରତିଶତ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯାଉଛି, ଯାହା ଦେଶରେ ସର୍ବାଧିକ ବୋଲି ସେ ଦାବି କରିଛନ୍ତି।
ଏହାର ପରିଣାମ ସ୍ୱରୂପ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା, ବ୍ରିଜ୍, ବନ୍ଦର ଓ ବିମାନବନ୍ଦର ନିର୍ମାଣ ଓ ବିକାଶ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।
୧ ଲକ୍ଷ କୋଟିର ରେଳ ପ୍ରକଳ୍ପ
କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ ଉପରେ ପଦକ୍ଷେପ ନିଆଯାଉଛି। ଏହାସହ ୫୯ଟି ରେଳ ଷ୍ଟେସନର ଆଧୁନିକୀକରଣ ଏବଂ ପ୍ରାୟ ୪୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ଚାଲିଛି।
ସେହିପରି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଏବଂ ୫ ହଜାର କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ (BKPPER) ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
୩୧ ହଜାର କୋଟିର ୩ ବଡ଼ ରାସ୍ତା ପ୍ରକଳ୍ପ
ଓଡ଼ିଶାର ସମସ୍ତ ଅଞ୍ଚଳକୁ ଉନ୍ନତ ସଡ଼କ ଯୋଗାଯୋଗରେ ଯୋଡ଼ିବା ପାଇଁ ତିନିଟି ବଡ଼ ରୋଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରକଳ୍ପ ହାତକୁ ନିଆଯାଇଛି।ବ୍ରହ୍ମପୁର-ଜୟପୁର ଓ ପାରଳାଖେମୁଣ୍ଡି-ଅମ୍ବାଭୋନା ନମୋ ଏକ୍ସପ୍ରେସୱେ ଏବଂ ମୋଟୁ-ତିରିଙ୍ଗି ଅଟଳ ଏକ୍ସପ୍ରେସୱେ ନିର୍ମାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏହି ତିନି ବଡ଼ ପ୍ରକଳ୍ପରେ ରାଜ୍ୟ ସରକାର ପ୍ରାୟ ୩୧ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଏହି ସମସ୍ତ ମେଗା ପ୍ରକଳ୍ପ ଓଡ଼ିଶାର ଅର୍ଥନୀତି, ଶିଳ୍ପ ଓ ଭିତ୍ତିଭୂମି ବିକାଶର ଚିତ୍ରକୁ ବଦଳାଇବାରେ ବଡ଼ ଭୂମିକା ନେବ।