ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ଯୁବପିଢ଼ି ଓ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। OCS ପରୀକ୍ଷାରେ ଥିବା ସର୍ବାଧିକ ୬ଟି ସୁଯୋଗର କଟକଣାକୁ ହଟାଇବାକୁ ଘୋଷଣା କରିଛନ୍ତି ସେ। ଏଣିକି ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ OCS ପରୀକ୍ଷା ଦେବାର ସୁଯୋଗ ପାଇବେ।
ଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। OCS ପରୀକ୍ଷା ପାଇଁ ଥିବା ସର୍ବାଧିକ ୬ ଥର ପରୀକ୍ଷା ଦେବାର ନିୟମକୁ ହଟାଯିବ। ଫଳରେ ଯୋଗ୍ୟ ପ୍ରାର୍ଥୀମାନେ ବୟସସୀମା ମଧ୍ୟରେ ରହିଥିଲେ ଅଧିକ ଥର ପରୀକ୍ଷା ଦେଇପାରିବେ।
ସେହିପରି ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ବୟସସୀମା ନିକଟରେ ପହଞ୍ଚିଥିବା ଅନେକ ଚାକିରି ଆଶାୟୀଙ୍କୁ ସୁଯୋଗ ମିଳିବ। ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଥିବା କିଛି କଟକଣାକୁ ମଧ୍ୟ କୋହଳ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ପରୀକ୍ଷା ମାଫିଆ ଏବଂ ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୋହନ ମାଝୀ। ପରୀକ୍ଷା ପରିଚାଳନାରେ ସାମାନ୍ୟ ତ୍ରୁଟି କିମ୍ବା ବିଚ୍ୟୁତି ହେଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଓ ଦୁର୍ନୀତିମୁକ୍ତ ପରୀକ୍ଷା ପରିବେଶ ଦେବା ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରୀକ୍ଷାରେ କୌଣସି ପ୍ରକାର ଦୁର୍ନୀତି ଓ ଅନିୟମିତତାକୁ ଅକ୍ଷମଣୀୟ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି ସେ କଡ଼ା ବାର୍ତ୍ତା ଦେଇଛନ୍ତି।