କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ବିବାଦ ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି । ଗତକାଲି (ଗୁରୁବାର) ଅନୁଷ୍ଠିତ ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁସାରେ ଆଜି ଅପରାହ୍ନ ୩ଟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସଂଘ ବା RUTA ର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ କୁଳପତିଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।
ତେବେ ବୈଠକ ଶେଷ ହେବା ପରେ RUTA ର ବରିଷ୍ଠ ସଦସ୍ୟ ନେତାଜୀ ଅଭିନନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ଶିକ୍ଷକମାନଙ୍କ ପ୍ରତି ଯେଉଁ ଅପମାନ ଓ ସମ୍ମାନହାନି ଘଟିଛି, ତା’ର ପ୍ରତିକାର ନେଇ ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କୁଳପତି ଜଣାଇଛନ୍ତି ଯେ, କ୍ୟାମ୍ପସ ଓ ହୋଷ୍ଟେଲରେ ଘଟିଥିବା ସମସ୍ତ ଘଟଣାବଳୀ ସମ୍ପର୍କରେ ମାନ୍ୟବର କୁଳାଧିପତି ତଥା ରାଜ୍ୟପାଳ ଏବଂ ଉଚ୍ଚଶିକ୍ଷା ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ପଠାଯାଇ ସରକାରଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଯାଇଛି। ଏଥିସହ ବିଧାୟକଙ୍କ ଦୁର୍ବ୍ୟବହାର ବିରୋଧରେ RUTA ର ଦାବିପତ୍ରକୁ ଆଧାର କରି ସରକାରଙ୍କୁ ଆଉ ଏକ ଚିଠି ଲେଖିବା ପାଇଁ ସଂଘ ନିବେଦନ କରିଥିଲା, ଯାହା ଉପରେ ବିଚାର କରିବେ ବୋଲି କୁଳପତି ପ୍ରତିଶ୍ରୁତି ଦେଇଛନ୍ତି।
କେବଳ ସେତିକି ନୁହେଁ ସଂଘର ସବୁଠାରୁ ବଡ଼ ଦାବି ହେଉଛି ଯେ ଗତ ୧୨ ତାରିଖରେ କୌଣସି ଆଲୋଚନା ନକରି ଏକତରଫା ଭାବେ ପ୍ରକାଶ କରାଯାଇଥିବା ୨୯ ଜଣ ଚିଫ୍ ୱାର୍ଡେନ୍, ଡେପୁଟି ଚିଫ୍ ୱାର୍ଡେନ୍, ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କ ବଦଳି ତାଲିକାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ ଏବଂ ପୁରୁଣା ଟିମ୍କୁ ପୁନଃ ଦାୟିତ୍ୱ ଦିଆଯାଉ। କୁଳପତି ଏହି ବଦଳି ସମ୍ପର୍କରେ ନିଜର ଶେଷ ନିଷ୍ପତ୍ତି ପରେ ଜଣାଇବେ ବୋଲି ସଂଘକୁ କହିଛନ୍ତି। ତେବେ ଯଦି କୁଳପତି RUTA ର ଦାବିଗୁଡ଼ିକୁ ସ୍ୱୀକାର ନକରନ୍ତି ଏବଂ ବଦଳି ତାଲିକା ପ୍ରତ୍ୟାହାର ନହୁଏ, ତେବେ ଦୁଇ ଦିନ ପରେ RUTA ତାର ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ । ଏହାରି ଭିତରେ କୁଳପତିଙ୍କ ଆଗାମୀ ନିଷ୍ପତ୍ତି ଉପରେ ଏବେ ସମଗ୍ର ରେଭେନ୍ସାର ଶିକ୍ଷାଦାନ ପରିବେଶ ନିର୍ଭର କରୁଛି।