ଭୁବନେଶ୍ୱର: ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷ ରୋକିବାକୁ ଓଡ଼ିଶା ସରକାର ଏବେ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚାଷ ନଷ୍ଟ କରିବା ପରେ ସେହି ଜମିରେ ପୁଣି ଗଞ୍ଜେଇ ଚାଷ ହେଉଛି କି ନାହିଁ, ତାହା ଉପରେ ନିରନ୍ତର ନଜର ରଖାଯିବ। ଏନେଇ ୬ଟି ଚିହ୍ନଟ ଜିଲ୍ଲାର ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାପାଳଙ୍କୁ ଚିଠି ଲେଖି ଫିଲ୍ଡସ୍ତରରେ ନିରୀକ୍ଷଣ ବ୍ୟବସ୍ଥାକୁ ମଜବୁତ କରିବାକୁ କହିଛନ୍ତି। ୨୦୨୬-୨୭ ଫସଲ ଋତୁ ଆରମ୍ଭ ହୋଇଥିବାରୁ ପୂର୍ବରୁ ଗଞ୍ଜେଇ ଚାଷ ହୋଇଥିବା ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯିବ।
୩୬ ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ
୨୦୨୫-୨୬ ଫସଲ ଋତୁରେ ଓଡ଼ିଶା ପୁଲିସ ୬ଟି ଜିଲ୍ଲାର ୪୧ଟି ଥାନା ଅଧୀନରେ ମୋଟ ୩୬,୫୦୮.୭୯୨ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଥିଲା। ଏଥିରୁ ୬,୬୩୨.୧୯୭ ଏକର ସରକାରୀ ରାଜସ୍ୱ ଜମି ଥିଲା।
ଚାଷ ନଷ୍ଟ ହୋଇଥିବା ସ୍ଥାନଗୁଡ଼ିକର GPS କୋ-ଅର୍ଡିନେଟ୍ ମଧ୍ୟ ପୁଲିସ ପକ୍ଷରୁ ରାଜସ୍ୱ ବିଭାଗକୁ ଦିଆଯାଇଛି। ଏହି ତଥ୍ୟ ଆଧାରରେ ପୂର୍ବରୁ ପ୍ରଭାବିତ ଜମିରେ ନିୟମିତ ଯାଞ୍ଚ କରାଯିବ।
ପୁଣି ଚାଷ ହେଲେ ତୁରନ୍ତ ଆକ୍ସନ
ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଓ ରାଜସ୍ୱ ସୁପରଭାଇଜରଙ୍କୁ ମିଳିତ ଭାବେ ନଜରଦାରୀ କରିବାକୁ କୁହାଯାଇଛି। ପୂର୍ବରୁ ଗଞ୍ଜେଇ ଚାଷ ହୋଇଥିବା ଜମିର ପ୍ଲଟ୍ ଓ ଗାଁୱାରୀ ରେକର୍ଡ ସହ GPS ତଥ୍ୟ ସଂରକ୍ଷଣ କରାଯିବ। ସରକାରୀ ଜମିରେ ପୁଣି ବେଆଇନ ଗଞ୍ଜେଇ ଚାଷ ଚିହ୍ନଟ ହେଲେ ତୁରନ୍ତ ସମ୍ପୃକ୍ତ ଥାନା, STF କିମ୍ବା ANTFକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି।
ଏଥିସହ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରୁଥିବା କୌଣସି ରାଜସ୍ୱ ଅଧିକାରୀ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ. ପାଢ଼ୀ ଚେତାବନୀ ଦେଇଛନ୍ତି। ସରକାରୀ ଜମିକୁ ଗଞ୍ଜେଇ ଚାଷ ପାଇଁ ପୁଣି ବ୍ୟବହାର କରିବାର ସୁଯୋଗ ନଦେବାକୁ ଜିଲ୍ଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।