କେନ୍ଦୁଝର: ଲଗାଣ ବର୍ଷାର ପ୍ରଭାବରେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଘଟିଛି ଭୂସ୍ଖଳନ। ଧଳାପଥର ନିକଟରେ ଜାତୀୟ ରାଜପଥ-୪୯ ଉପରେ ପାହାଡ଼ରୁ ମାଟି, ବଡ଼ ବଡ଼ ପଥର ଓ ଗଛ ଧସି ଆସି ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଭୂସ୍ଖଳନ ଘଟିଥିଲା। ପାହାଡ଼ରୁ ମାଟି ଓ ପଥର ରାସ୍ତା ଉପରକୁ ଖସି ପଡ଼ିବାରୁ ରାତିରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଆଜି ସକାଳୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ରାସ୍ତାରୁ ମାଟି, ପଥର ଓ ଗଛ ହଟାଇବା ପାଇଁ ୨ଟି JCB ମେସିନ୍ ଓ ଗୋଟିଏ ହାଇଭା ଟ୍ରକ୍ ନିୟୋଜିତ କରାଯାଇଛି। ତେବେ ମଝିରେ ମଝିରେ ବର୍ଷା ଲାଗି ରହୁଥିବାରୁ ରାସ୍ତା ସଫା କାମରେ ବାଧା ସୃଷ୍ଟି ହେଉଛି। ଯଥାଶୀଘ୍ର ରାସ୍ତା ସଫା କରି ଯାନବାହନ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।
ଅଧିକାରୀଙ୍କ ସୂଚନା ଅନୁସାରେ, ଆସନ୍ତା ୨ରୁ ୩ ଘଣ୍ଟା ମଧ୍ୟରେ ରାସ୍ତା ସଫା କରାଯିବାର ଆଶା ରହିଛି। ଭୂସ୍ଖଳନ ଯୋଗୁଁ ଯାତ୍ରୀ ଓ ଗାଡ଼ି ଚାଳକମାନେ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି।