ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ବୋମା ଆତଙ୍କ । ଦିଲ୍ଲୀର ପାଞ୍ଚଟି ପ୍ରମୁଖ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏଥିରେ ଦିଲ୍ଲୀ ହାଇକୋର୍ଟ, ଜାମନଗର ହାଉସ୍, ଝଣ୍ଡେୱାଲାନ୍ ଫ୍ଲାଟେଡ୍ ଫ୍ୟାକ୍ଟ୍ରି କମ୍ପ୍ଲେକ୍ସ, ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ ଏମବି ସାକେତ ଅଫିସ୍/ଡିଏମ୍ ଅଫିସ୍ ଏବଂ ଦିଲ୍ଲୀ କ୍ୟାଣ୍ଟର ଏସଡିଏମ୍ ଅଫିସ୍ ଅନ୍ତର୍ଭୁକ୍ତ । ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ଏବଂ ସନ୍ଧାନୀ କୁକୁରଙ୍କ ସାହାଯ୍ୟରେ ତନ୍ନ ତନ୍ନ ଯାଞ୍ଚ କରାଯାଇଛି । ସମ୍ପୃକ୍ତ ସ୍ଥାନମାନଙ୍କ ମଧ୍ୟରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଦିଲ୍ଲୀ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଇମେଲ୍ ଆଇଡିରେ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। କୋର୍ଟ ପରିସର ଏବଂ ବିଚାରପତିଙ୍କ କୋଠରୀରେ ବୋମା ଖଞ୍ଜା ଯାଇଥିବା କୁହାଯାଇଥିଲା । ଅପରାହ୍ନ ୨:୦୦ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଧମକ ଦିଆଯାଇଥିଲା । କିନ୍ତୁ ଯାଞ୍ଚ ପରେ କୌଣସି ସନ୍ଦିଗ୍ଧ ଜିନିଜି ମିଳିନାହିଁ ।
ତେବେ ଏହା ଏକ ମିଥ୍ୟା ଧମକ ହୋଇଥିବା ଅନୁମାନ କରାଯାଉଛି । କେବଳ ଆତଙ୍କ ସୃଷ୍ଟି କରିବାକୁ ଏଭଳି କରାଯାଇଥିବା ଅନୁମାନ କରାଯାଉଛି । ତଥାପି ବିମାନବନ୍ଦରଠାରୁ ଆରମ୍ଭ କରି କୋର୍ଟ ପର୍ୟ୍ୟନ୍ତ ସମସ୍ତ ସ୍ଥାନରେ ସୁରକ୍ଷାବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ସ୍ୱତନ୍ତ୍ର ସେଲ୍ ଏବଂ ସାଇବର କ୍ରାଇମ୍ ୟୁନିଟ୍ ଇମେଲ୍ କେଉଁଠୁ ଆସିଥିଲା ତାହାର ଯାଞ୍ଚ କରୁଛନ୍ତି ।