ଚେନ୍ନାଇ: ଦେଶରେ ସମ୍ଭାବ୍ୟ ସୀମା ପୁନଃନିର୍ଦ୍ଧାରଣ ଏବଂ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜନୈତିକ ପାରଦ ଚଢ଼ିବାରେଲାଗିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ସି. ଜୋସେଫ୍ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି। ଦେଶର ଲୋକସଭା ଆସନ ସଂଖ୍ୟାକୁ ସବୁଦିନ ପାଇଁ ୫୪୩ରେ ସ୍ଥାୟୀ ଭାବେ ସ୍ଥିର ରଖିବା ପାଇଁ ସେ ସମ୍ବିଧାନରେ ଆବଶ୍ୟକ ସଂଶୋଧନ ଆଣିବାକୁ ଅନୁରୋଧ କରିଛନ୍ତି।
ବିଧାନସଭାରେ ପାରିତ ପ୍ରସ୍ତାବକୁ ନେଇ ଚିଠି
ଗତ ବୁଧବାର ଦିନ ତାମିଲନାଡୁ ବିଧାନସଭାରେ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବର ଏକ କପି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ମୁଖ୍ୟମନ୍ତ୍ରୀ ବିଜୟ ଦର୍ଶାଇଛନ୍ତି ଯେ, ଜନସଂଖ୍ୟାକୁ ଆଧାର କରି ଭବିଷ୍ୟତରେ ସୀମା ପୁନଃନିର୍ଦ୍ଧାରଣ କରାଗଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଗମ୍ଭୀର କ୍ଷତିର ସମ୍ମୁଖୀନ ହେବେ।
ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ସଫଳତାର ସହ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ଆର୍ଥିକ ତଥା ସାମାଜିକ ବିକାଶ ଦିଗରେ ଅଗ୍ରଣୀ ରହିଛନ୍ତି, ସେହି ଦକ୍ଷିଣ ରାଜ୍ୟଗୁଡ଼ିକର ସଂସଦୀୟ ପ୍ରତିନିଧିତ୍ୱ ଯଦି ହ୍ରାସ ପାଏ, ତେବେ ତାହା ସେମାନଙ୍କ ପ୍ରତି ଏକ ସ୍ଥାୟୀ ଅନ୍ୟାୟ ହେବ। ୧୯୬୭ ମସିହାରେ ମଧ୍ୟ ତାମିଲନାଡୁର ଲୋକସଭା ଆସନ ୪୧ରୁ କମି ୩୯ ହୋଇଥିବା କଥା ସେ ସ୍ମରଣ କରାଇଛନ୍ତି।
୩୩% ମହିଳା ସଂରକ୍ଷଣକୁ ନେଇ ମଧ୍ୟ ଦାବି
ଏହି ଚିଠିରେ ବିଜୟ କେବଳ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ନୁହେଁ, ବରଂ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ବିନା କୌଣସି ବିଳମ୍ବରେ, ବର୍ତ୍ତମାନର ୫୪୩ ଆସନ ବ୍ୟବସ୍ଥା ଭିତରେ ହିଁ ତୁରନ୍ତ ଲାଗୁ କରାଯାଉ।
Also Read: ବିଭାଜନ ଅନେକ ଜୀବନକୁ ନଷ୍ଟ କରିଦେଲା: ପ୍ରଧାନମନ୍ତ୍ରୀ ମୋଦୀ