ଭୁବନେଶ୍ୱର: ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର। ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରେ ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବାକୁ ରେଳ ବୋର୍ଡ ୭ଟି ନୂଆ ‘ଅମୃତ ଭାରତ’ ଏକ୍ସପ୍ରେସ୍ ଚଳାଚଳକୁ ଅନୁମୋଦନ ଦେଇଛି। କମ୍ ଓ ମଧ୍ୟମ ଆୟ ବର୍ଗର ଯାତ୍ରୀଙ୍କ ପାଇଁ ସୁଲଭ ଯାତ୍ରାକୁ ଗୁରୁତ୍ୱ ଦେଇ ଏହି ଟ୍ରେନ୍ଗୁଡ଼ିକ ବିଭିନ୍ନ ପ୍ରମୁଖ ସହର ଓ ଆଞ୍ଚଳିକ କେନ୍ଦ୍ରକୁ ଯୋଡ଼ିବ।
ନୂଆ ଅନୁମୋଦିତ ଟ୍ରେନ୍ଗୁଡ଼ିକ ମଧ୍ୟରେ ଧନବାଦ-କୋଏମ୍ବାଟୁର ଅମୃତ ଭାରତ ଏକ୍ସପ୍ରେସ୍ (୨୨୩୬୩/୨୨୩୬୪) ରହିଛି। ଏହି ଟ୍ରେନ୍ ଧନବାଦ, ଗୟା, ପ୍ରୟାଗରାଜ, ଜବଲପୁର, ନାଗପୁର, ବିଜୟୱାଡା, ତିରୁପତି, ସାଲେମ୍, ଇରୋଡ୍ ଓ ତିରୁପ୍ପୁର ଭଳି ପ୍ରମୁଖ ଷ୍ଟେସନ ଦେଇ ଚଳାଚଳ କରିବ।
ସେହିପରି ପ୍ରୟାଗରାଜ-ଲୋକମାନ୍ୟ ତିଳକ ଟର୍ମିନସ୍ (୨୦୪୩୬/୨୦୪୩୫), ପ୍ରୟାଗରାଜ-ଉଧନା (୨୦୪୩୭/୨୦୪୩୮) ଏବଂ ସୁବେଦାରଗଞ୍ଜ-ଲୋକମାନ୍ୟ ତିଳକ ଟର୍ମିନସ୍ (୧୪୧୨୧/୧୪୧୨୨) ଅମୃତ ଭାରତ ଏକ୍ସପ୍ରେସ୍ ମଧ୍ୟ ଚଳାଚଳ କରିବ। ଏହି ସେବାଗୁଡ଼ିକ ସାପ୍ତାହିକ ଭାବେ ଚାଲିବା ପ୍ରସ୍ତାବ ରହିଛି।
ନୂଆ ତାଲିକାରେ ଗୋରଖପୁରରୁ ଦୁଇଟି ଅମୃତ ଭାରତ ଟ୍ରେନ୍ ମଧ୍ୟ ରହିଛି। ଗୋରଖପୁର-ଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସ୍ (୧୫୦୯୫/୧୫୦୯୬) ଖଲିଲାବାଦ, ବସ୍ତି, ଗୋଣ୍ଡା, ସୀତାପୁର, ବରେଲୀ, ମୋରାଦାବାଦ ଓ ଗାଜିଆବାଦ ଦେଇ ଦିଲ୍ଲୀ ପହଞ୍ଚିବ।
ଅନ୍ୟପଟେ ଗୋରଖପୁର-ବାନ୍ଦ୍ରା ଟର୍ମିନସ୍ ଅମୃତ ଭାରତ ଏକ୍ସପ୍ରେସ୍ (୧୫୦୮୫/୧୫୦୮୬) ଗୋଣ୍ଡା, କାନପୁର ସେଣ୍ଟ୍ରାଲ, ଆଗ୍ରା ଫୋର୍ଟ, କୋଟା, ରତଲାମ୍, ବଡୋଦରା, ସୁରତ, ଭଲସାଡ୍, ବୋରିଭଲି ଆଦି ଷ୍ଟେସନ ଦେଇ ବାନ୍ଦ୍ରା ଟର୍ମିନସ୍ ଯିବ।
ଦେଶର ବିଭିନ୍ନ ରାଜ୍ୟକୁ ଯୋଡ଼ୁଥିବା ଏହି ନୂଆ ସେବା ଫଳରେ ଦୂରଦୂରାନ୍ତର ଯାତ୍ରୀଙ୍କୁ ସୁଲଭ ଓ ଉନ୍ନତ ରେଳ ଯାତ୍ରାର ସୁଯୋଗ ମିଳିବ। ଓଡ଼ିଶା ଦେଇ ପୂର୍ବରୁ ଚଳାଚଳ କରୁଥିବା ଅମୃତ ଭାରତ ଏକ୍ସପ୍ରେସ୍ଗୁଡ଼ିକ ମଧ୍ୟ ରାଜ୍ୟବାସୀଙ୍କୁ ଦେଶର ବିଭିନ୍ନ ପ୍ରମୁଖ ସହର ସହ ଯୋଡ଼ିଆସୁଛି।