ରାଞ୍ଚି: ଝାଡ଼ଖଣ୍ଡ ଲୋକ ସେବା ଆୟୋଗ ପରୀକ୍ଷା ଅନିୟମିତତାରେ ସିଆଇଡିକୁ ତଦନ୍ତ ବେଳେ ବଡ଼ ତଥ୍ୟ ମିଳିଛି । ଅଭିଯୁକ୍ତ ବୁଦ୍ଧେଶ୍ୱର ଭଗତଙ୍କୁ ଜେରାବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପରୀକ୍ଷା ଅନିୟମିତତାରେ ୧୦୦ କୋଟିର କାରବାର ହୋଇଥିବା ଜଣାପଡ଼ିଛି ।
ଜେପିଏସିସି ପରୀକ୍ଷା ପାଇଁ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଓ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ଦାମ୍ ଲଗାଯାଇଥିଲା । ପ୍ରଥମ ପର୍ଯ୍ୟାୟ ପରୀକ୍ଷାଠାରୁ ଆରମ୍ଭ କରି ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଏକ ନିର୍ଦ୍ଧିଷ୍ଟ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । ସାଧାରଣ ଏବଂ ଓବିସି ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଅନ୍ତିମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ କରିବାକୁ ୧ କୋଟି ଟଙ୍କା ସ୍ଥିର ହୋଇଥିଲା । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତୀ ଛାତ୍ରଛାତ୍ରୀଙ୍କ ପାଇଁ ୮୦ ଲକ୍ଷ ଟଙ୍କା ରଖାଯାଇଥିଲା । ମୋଟ ୧୦୦ କୋଟି ଟଙ୍କାର କାରବାର କରାଯାଇଥାଆନ୍ତା । ଖାଲି ସେତିକି ନୁହେଁ ପରୀକ୍ଷାର୍ଥୀଙ୍କ ସହିତ ଯୋଗାଯୋଗ ରଖୁଥିବା ଦଲାଲଙ୍କୁ ପ୍ରତି ପରୀକ୍ଷାର୍ଥୀଙ୍କ ପିଛା ୧୫ ଲକ୍ଷ ଲେଖାଏଁ ଟଙ୍କା ନେଇ ମାଲାମାଲ ହୋଇଥାଆନ୍ତେ । ଏହି ସେଟିଂରେ ଯେଉଁ ଅର୍ଥ କାରବାର ହୋଇଥାଆନ୍ତା ତାହା କେବଳ ନଗଦ ଆକାରରେ କରାଯାଇଥାଆନ୍ତା ।
ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରଥମେ ଯୋଜନା କରାଯାଇଥିଲା । ଏଥିପାଇଁ ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଲେଖାଏଁ ଅଗ୍ରୀମ ଆକାରରେ ନିଆଯାଇଥାଆନ୍ତା । ପ୍ରଥମ ଚରଣ ପରୀକ୍ଷା ଶେଷ ହେବା ପରେ ବାକି ଟଙ୍କା ନିଆଯାଇଥାଆନ୍ତା ।
ବୁଦ୍ଧେଶ୍ୱର ଭଗତର ତଥ୍ୟ ଆଧାରରେ ସିଆଇଡି ଆହୁରି ଅଭିଯୁକ୍ତଙ୍କୁ ଆଗାମୀ ଦିନରେ ଗିରଫ କରିବାର ସମ୍ଭାବନା ରହିଛି ।