ମୁମ୍ବାଇ: ଭାରତରୁ ଫେରାର୍ ହୋଇଥିବା ବିବାଦୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କୋର୍ଟ ଏସବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)କୁ ଏକ ସ୍ପଷ୍ଟ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟାଙ୍କର ଜବତ ହୋଇଥିବା ସମ୍ପତ୍ତି ଜରିଆରେ ବ୍ୟାଙ୍କଗୁଡ଼ିକର ସମସ୍ତ ବାକି ଋଣ ସୁଝାଯାଇଛି କି ନାହିଁ, ସେନେଇ ସ୍ପଷ୍ଟ କରିବାକୁ କୁହାଯାଇଛି।
ବିଜୟ ମାଲ୍ୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପୁରୁଣା ଆବେଦନ ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଅଦାଲତ ମତ ପ୍ରକାଶ କରିଛନ୍ତି ଯେ, ଏହି ବିବାଦର ଏବେ ଏକ ପୂର୍ଣ୍ଣଚ୍ଛେଦ ପଡ଼ିବା ଦରକାର। କୋର୍ଟ କହିଛନ୍ତି ଯେ, ଏଭଳି ବିବାଦକୁ ଅହେତୁକ ଭାବେ ଦୀର୍ଘ ଦିନ ଧରି ଜାବୁଡ଼ି ରଖିବା ଦ୍ୱାରା ଦେଶର ଅର୍ଥନୀତି ଏବଂ ବ୍ୟାବସାୟିକ ସମ୍ପର୍କ ଉପରେ କୁପ୍ରଭାବ ପଡ଼ୁଛି। ତେଣୁ ଏହି ମାମଲାରେ ଆଗକୁ ବଢ଼ିବାର ସମୟ ଆସିଯାଇଛି।
ମାଲ୍ୟାଙ୍କ ଓକିଲଙ୍କ ବଡ଼ ଦାବି
ଶୁଣାଣି ସମୟରେ ବିଜୟ ମାଲ୍ୟାଙ୍କ ପକ୍ଷରୁ ହାଜିର ହୋଇଥିବା ବରିଷ୍ଠ ଆଇନଜ୍ଞ ଅମିତ ଦେଶାଇ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଗତ ୬ ବର୍ଷ ଭିତରେ ଘଟିଥିବା ବିଭିନ୍ନ ଘଟଣାକ୍ରମ ପରେ ୨୦୨୦ ମସିହାର ଏହି ଆବେଦନଟି ବର୍ତ୍ତମାନ ପ୍ରାୟତଃ ଅର୍ଥହୀନ ହୋଇପଡ଼ିଛି।
ତାଙ୍କ ଯୁକ୍ତି ଅନୁଯାୟୀ, ବ୍ୟାଙ୍କଗୁଡ଼ିକର ମୂଳ ଦାବି ଏବଂ ସୁଧକୁ ମିଶାଇ ଯେତିକି ଟଙ୍କା ଥିଲା, ତାହାଠାରୁ ବହୁତ ଅଧିକ ଅର୍ଥ ଅର୍ଥାତ୍ ପ୍ରାୟ ୧୫,୦୦୦ କୋଟି ଟଙ୍କା ବ୍ୟାଙ୍କ କନସୋର୍ଟିୟମ ଜବତ ସମ୍ପତ୍ତିରୁ ରିକଭର କରିସାରିଛନ୍ତି। ତେଣୁ ମାଲ୍ୟାଙ୍କର ବିବାଦର ଏକପ୍ରକାର ସମାଧାନ ହୋଇସାରିଛି ବୋଲି ସେ ଦାବି କରିଛନ୍ତି।
ହାଇକୋର୍ଟ ଏବେ ଏସବିଆଇ ଏବଂ ଇଡିର ଡେପୁଟି ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି। ଆଗାମୀ ସେପ୍ଟେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାର ସମ୍ଭାବନା ରହିଛି। ବ୍ୟାଙ୍କ ଏବଂ ତଦନ୍ତକାରୀ ସଂସ୍ଥାଙ୍କ ଲିଖିତ ଜବାବ ଆସିବା ପରେ କୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।