ବଲାଙ୍ଗିର : ବହୁତ ଚର୍ଚ୍ଚିତ ଗୀତାଞ୍ଜଳି ଷଡଙ୍ଗୀ ହତ୍ଯା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍ ।
ଗତ ଶନିବାର ରାତିରେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଗୀତାଞ୍ଜଳି ଷଡଙ୍ଗୀଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୁଣ୍ଡକୁ ଏକ ଓର୍ଜିନିଆ ଧାତୁ କି ବସ୍ତୁରେ ଛେଚି ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଗୁରୁବାର ମୃତା ଗୀତାଞ୍ଜଳିଙ୍କ ବଡଭାଇ ନବୀନ ଷଡଙ୍ଗୀ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।
ହତ୍ୟାକାରୀ ମାନଙ୍କ ସହ ସେ ଫୋନ୍ରେ କଥା ହୋଇଥୁବା କଲ୍ ରେକର୍ଡ ଯାଞ୍ଚରୁ ସ୍ପଷ୍ଟ ହେବା ପରେ ତାଙ୍କୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୋଲିସ କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ ବଲାଙ୍ଗୀର ଏସ୍ପି ଅଭିଳାଷ ଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ପୋଲିସ ଟିମ୍ ଝାଡ଼ଖଣ୍ଡ ପ୍ରଦେଶର ଜାମସେଦପୁର ଅଞ୍ଚଳରେ ତନାଘନା ଚଳାଇଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡରେ ତିନିଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରଠାରୁ ଖମାରମୁଣ୍ଡାର ଦୁଇଜଣ ବ୍ୟକ୍ତି ଗାଁରୁ ଫେରାର ଅଛନ୍ତି। ସେହି ଦୁଇଜଣଙ୍କ ସହ ସୋନପୁର ଅଞ୍ଚଳର ଜଣେ ଯୁବକ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା I ସେହି ତିନି ଜଣ ଜାମସେଦପୁର ଅଞ୍ଚଳରେ ରହିଥିବା ଖବର ପାଇବା ପରେ ପୋଲିସ ଟିମ୍ ଜାମସେଦପୁର ପହଞ୍ଚିଥିବା ସୂଚନାରହିଛି।
ଏପଟେ ଅଟକ ଥିବା ଗୀତାଞ୍ଜଳିଙ୍କ ତିନିଭାଇଙ୍କ ଭିତରୁ ଦୁଇ ଭାଇଙ୍କୁ ଛାଡି ଦେଇ ପୋଲିସ ବଡଭାଇ ନବୀନଙ୍କୁ କୋର୍ଟଚାଲାଣ କରିଛି । ନବୀନ ଫୋନ୍ରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ସହ କଥା ହୋଇଥୁବାରୁ ତାଙ୍କୁ ଗିରଫ କରିଥିବା ସଦର ଏସଡିପିଓ ସରୋଜ ଉପାଧ୍ୟାୟ କହିଛନ୍ତି। ତେବେ ଯେଉଁମାନେ ଗୀତାଞ୍ଜଳିଙ୍କୁ ହତ୍ୟା କରିଛନ୍ତି ସେମାନେ ଗିରଫ ହେଲା ପରେ ଯାଇ ହତ୍ୟାକାଣ୍ଡର କାରଣ ଏବଂ ଅଭିଯୁକ୍ତମାନଙ୍କ ଭୂମିକା ସ୍ପଷ୍ଟ ହେବ ବୋଲି ଏସଡିପିଓ ଉପାଧ୍ୟାୟ କହିଛନ୍ତି। ଘଟଣା ଦିନରୁ ଗୀତାଞ୍ଜଳିଙ୍କୁ ଜମି କାରବାର ବାର ପାଇଁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ଅଭିଯୁକ୍ତମାନେ ଗିରଫ ହେବା ପରେ ହତ୍ୟାକାଣ୍ଡ ର ରହସ୍ୟ ଜଣାପଡ଼ିବ।