ଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ପୁଣି ଥରେ ବନ୍ୟା ଆସିଛି । ବନ୍ୟାରେ ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲା ବିଶେଷଭାବେ ପ୍ରଭାବିତ ହୋଇଛି । ଏହି ଜିଲ୍ଲାମାନଙ୍କରେ ମୋଟ ୪୫ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ସ୍ପେଶାଲ୍ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ସୂଚନା ଦେଇଛନ୍ତି ।
ଏସ୍ଆରସିଙ୍କ ସୂଚନା ଆଧାରରେ, କେବଳ ବ୍ରାହ୍ମଣୀକୁ ବାଦ ଦେଲେ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଶୁକ୍ରବାର ସକାଳ ସୁଦ୍ଧା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା । ଆନନ୍ଦପୁରରେ ବିପଦ ସଙ୍କେତ ୩୦.୩୬ ମିଟର୍ ଥିବାବେଳେ ବୈତରଣୀ ଜଳ ସ୍ତର ୪୦.୧୬ ମିଟର୍ ରହିଥିଲା । ସେହିପରି ଆଖୁଆପଦା ନିକଟରେ ବିପଦ ସଙ୍କେତ ୧୮. ୩୩ ମିଟର୍ କୁ ଡେଇଁ ୧୯.୫୮ ମିଟର୍ ଉପରେ ବୈତରଣୀ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ବୈତନଟୀ ଏବଂ ବଡ଼ସାହି ନିକଟରେ ବୁଢ଼ାବଳଙ୍ଗ ଜଳ ସ୍ତର ଧିରେ ଧିରେ ବୃଦ୍ଧି ପାଉଛି ।
ସେହିପରି ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ତଳେ ବନ୍ୟା ଜଳ ରହିଛି । ରାଜଘାଟରେ ୧୦.୩୬ ମିଟର୍ ବିପଦ ସଙ୍କେତ ରହିଥିବାବେଳେ ଜଳ ସ୍ତର ବର୍ତ୍ତମାନ ୭.୭ ମିଟର୍ ରହିଛି । କିନ୍ତୁ ଝାଡ଼ଖଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ପାଇଥିବାରୁ ଡ୍ୟାମରୁ ପାଣି ନିଷ୍କାସନ ହୋଇପାରେ । ଫଳରେ ଆଗାମୀ ସମୟରେ ସୁବର୍ଣ୍ଣରେଖାରେ ଜଳ ସ୍ତର ବୃଦ୍ଧି ପାଇଛି ।
ନଦୀମାନଙ୍କର ଜଳ ସ୍ତର ବଢ଼ିଥିବାରୁ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ସେଥିପାଇଁ ସତର୍କ ରହିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ପାଇଁ ରିଲିଫ୍ କେନ୍ଦ୍ର ଖୋଲା ବିଭିନ୍ନ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତତସହିତ ଉଦ୍ଧାର ପାଇଁ ୧୦ଟି ଓଡ୍ରାଫ, ୭ଟି ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ନିଯୁକ୍ତ ହୋଇଛନ୍ତି ।