ଭୁବନେଶ୍ୱର: ଗାଁର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଆଗକୁ ଆସୁ। ରାଜ୍ୟର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଅତିକମରେ ଗୋଟିଏ ଗାଁକୁ ‘ଫଷ୍ଟର ଭିଲେଜ୍’ ଭାବେ ଆପଣାଇ ସେଠାକାର ଦକ୍ଷତା, ସମ୍ଭାବନା ଓ ସ୍ଥାନୀୟ ସମ୍ବଳ ଚିହ୍ନଟ କରିବା ସହ ଲୋକଙ୍କ ପାଇଁ ଆବଶ୍ୟକତାଭିତ୍ତିକ ତାଲିମ ଓ ଉଦ୍ୟୋଗ ସୃଷ୍ଟି କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି।
ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଆୟୋଜିତ ଏକଦିନିଆ ଅଭିଜ୍ଞତା ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି।
ରାଜ୍ୟପାଳ କହିଛନ୍ତି, କେବଳ ତାଲିମ ଦେଲେ ହେବ ନାହିଁ। ଲୋକଙ୍କ ଦକ୍ଷତାକୁ ସ୍ଥାୟୀ ଜୀବିକା ଓ ଆୟକାରୀ ଉଦ୍ୟୋଗରେ ପରିଣତ କରିବାରେ ବିଶ୍ୱବିଦ୍ୟାଳୟ ସହଯୋଗ କରିବା ଆବଶ୍ୟକ। ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବିଶ୍ୱବିଦ୍ୟାଳୟର ଉପଲବ୍ଧ ସମ୍ବଳକୁ ବ୍ୟବହାର କରି ନିକଟସ୍ଥ ଗାଁଗୁଡ଼ିକର ଦକ୍ଷତା ମ୍ୟାପିଂ କରାଯିବା ଉଚିତ ବୋଲି ସେ କହିଛନ୍ତି।
ଏଥିସହ PM MUDRA ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ PM-Surya Ghar ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ମିଳିବାରେ ବିଶ୍ୱବିଦ୍ୟାଳୟ ସହାୟତା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ନିଜ ଅଞ୍ଚଳର ବିଶେଷ ସମ୍ଭାବନା ଓ ସ୍ଥାନୀୟ ଦକ୍ଷତାକୁ ଚିହ୍ନଟ କରି ସେହି ଅନୁସାରେ ତାଲିମ ଓ ଉଦ୍ୟୋଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ କୁଳପତିମାନଙ୍କୁ କହିଛନ୍ତି। ଶିକ୍ଷା ଓ ଦକ୍ଷତାକୁ ସ୍ଥାନୀୟ ଅର୍ଥନୈତିକ ସୁଯୋଗ ସହ ଯୋଡ଼ିଲେ ବିଶ୍ୱବିଦ୍ୟାଳୟଗୁଡ଼ିକ ଗ୍ରାମୀଣ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ ହୋଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି।
କାର୍ଯ୍ୟକ୍ରମରେ କୁଳପତିମାନେ ନିଜ ଅଭିଜ୍ଞତା ଓ ଅବଲୋକନ ବାଣ୍ଟିଥିଲେ। ଏହି ଅବସରରେ ‘Adoption of Clean Energy Technologies in Rural Odisha’ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କୁଳପତିମାନେ ଉପସ୍ଥିତ ଥିଲେ।