ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜଣେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ନିଜକୁ ଜଣେ ଜାତୀୟ ଦଳର କର୍ମକର୍ତ୍ତା ଏବଂ ଏକ ବଡ଼ କମ୍ପାନୀର କର୍ମଚାରୀ କହି ଟ୍ରାଫିକ୍ କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଯାହାରା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ବ୍ୟକ୍ତି ଜଣକୁ ଟାଉନ ଥାନା ପୋଲିସ ଅଟକ ରଖିଛି ।
ବ୍ରହ୍ମପୁର ସହରରେ ଗେଟ୍ ବଜାର ଓଭରବ୍ରିଜ୍ ନିର୍ମାଣ କାମ ଚାଲିଥିବାରୁ ବିଶାଲ ଛକରୁ ଗେଟ ବଜାର ଆଡ଼କୁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଗତକାଲି ଅପରାହ୍ନ ସମୟରେ ଏକ କାର ସେହି ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲା । ସେଠାରେ ଡ୍ୟୁଟିରେ ଥିବା ମହିଳା ଟ୍ରାଫିକ୍ କନଷ୍ଟେବଳ ତାଙ୍କୁ ଅଟକାଇ ଅନ୍ୟ ରାସ୍ତାରେ ଯିବାକୁ କହିଥିଲେ । କିନ୍ତୁ କାରରେ ବସିଥିବା ବ୍ୟକ୍ତି ରାସ୍ତା କାମ ନେଇ ଥିବା ଠିକା ସଂସ୍ଥାର କର୍ମଚାରୀ ବୋଲି ପ୍ରଥମେ ପରିଚୟ ଦେଇଥିଲେ । ମାତ୍ର ସେଠାରେ ଉପସ୍ଥିତି ସୁରକ୍ଷାକର୍ମୀ ତାଙ୍କୁ ଚିହ୍ନି ନଥିବା କହିଥିଲେ । ଟ୍ରାଫିକ୍ କନଷ୍ଟେବଳ ପୁଣି ଥରେ ତାଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିବାରୁ ଉକ୍ତ ବ୍ୟକ୍ତି ଜଣକ ରାଗି ଯାଇଥିଲେ। ସେହି କାରରେ ଥିବା ଜଣେ ଆଉ ବ୍ୟକ୍ତି ଜାତୀୟ ଦଳର ପଦାଧିକାରୀ ବୋଲି ନିଜକୁ ପରିଚୟ ଦେବା ସହିତ ଯୁକ୍ତିତର୍କ କରିଥିଲେ ।
ଶେଷରେ ବ୍ୟକ୍ତି ଜଣକ କାରରୁ ଓହ୍ଲାଇ ଆସି ସିକ୍ୟୁରିଟି ଗାର୍ଡକୁ ପ୍ରଥମେ ମାଡ଼ ମାରିଥିଲେ । ଏମିତିକି ତାଙ୍କୁ ମୁଥ ଏବଂ ଚାପୁଡ଼ା ମାରିଥିଲେ । ସେଠାରେ ଉପସ୍ଥିତ ମହିଳା କନଷ୍ଟେବଳ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ପ୍ରାୟ ୧୦ ମିନଟ ଧରି ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।
ଏ ନେଇ ମହିଳା ଟ୍ରାଫିକ କନେଷ୍ଟବଳ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।