ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳର ଏକ ହୋଟେଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ସୋମନାଥ ମାଝୀ ବୋଲି ଜଣାପଡ଼ିଥିବା ବେଳେ ସେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ସୋମନାଥ ଶୁକ୍ରବାର ସକାଳ ପ୍ରାୟ ୮ଟା ୧୦ ମିନିଟ୍ରେ ହୋଟେଲରେ ଚେକ୍-ଇନ୍ କରିଥିଲେ। ସେ ସନ୍ଧ୍ୟା ସୁଦ୍ଧା ହୋଟେଲ ଛାଡ଼ିବେ ବୋଲି ହୋଟେଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ ଦିନ ଗଡ଼ିବା ସହ ରୁମ୍ର କବାଟ ବନ୍ଦ ରହିଥିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା।
ସନ୍ଧ୍ୟାରେ ଜଣେ କର୍ମଚାରୀ ରୁମ୍ର କବାଟ ବାଡ଼େଇଥିଲେ। ଭିତରୁ କୌଣସି ଉତ୍ତର ନମିଳିବାରୁ ଅନ୍ୟ ଜଣେ କର୍ମଚାରୀଙ୍କ ସହ ମିଶି ଯାଞ୍ଚ କରିଥିଲେ। ଏହି ସମୟରେ ରୁମ୍ ଭିତରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଏହାପରେ ତୁରନ୍ତ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୁମ୍ରୁ ମୃତଦେହ ଉଦ୍ଧାର କରିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଯୁବକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ଖୋଳତାଡ଼ କରୁଛି।
ହୋଟେଲ ମ୍ୟାନେଜର ଶ୍ରୀକୃଷ୍ଣ ସେଠୀଙ୍କ ସୂଚନା ଅନୁସାରେ, ସୋମନାଥ ବର୍ଦ୍ଧମାନରୁ ଆସି ହୋଟେଲରେ ରହିଥିଲେ ଏବଂ ସନ୍ଧ୍ୟାରେ ଚେକ୍-ଆଉଟ୍ କରିବାର ଥିଲା। ହେଲେ ନିର୍ଦ୍ଧାରିତ ସମୟରେ ରୁମ୍ରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ଯାଞ୍ଚ କରାଯାଇଥିଲା। ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଜାରି ରଖିଛି। ମୃତ୍ୟୁର ସଠିକ୍ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।