ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ପାଇଁ ସଜେଇ ହୋଇଛି ମନ୍ଦିରମାଳିନୀ ସହର ଭୁବନେଶ୍ୱର। ଗାନ୍ଧୀ ମାର୍ଗରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ। ଏଥିପାଇଁ ସମଗ୍ର ରାଜଧାନୀକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ବିଶେଷକରି ପରେଡ୍ ଗ୍ରାଉଣ୍ଡ ଓ ଗାନ୍ଧି ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।
ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ପରେ ପରେଡରେ ଅଭିବାଦନ ଗ୍ରହଣ କରିବେ। ଏହି ଅବସରରେ ମୁଖ୍ୟ ସଚିବ, ପୋଲିସ ଡିଜିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ।
ଚଳିତ ବର୍ଷ ପରେଡରେ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ରାଜ୍ୟ ଓ ରାଜ୍ୟ ବାହାରର ମୋଟ ୫୦ଟି ଟ୍ରୁପ୍ ଅଂଶଗ୍ରହଣ କରୁଛନ୍ତି। ଏଥର ଛତିଶଗଡ଼ରୁ ମଧ୍ୟ ଏକ ଟ୍ରୁପ୍ ସାମିଲ ହେବା ପରେ ପରେଡର ଆକର୍ଷଣ ଆହୁରି ବଢ଼ିଛି।
ସୁରକ୍ଷା ଦୃଷ୍ଟିରୁ ଲୋୟର ପିଏମଜି ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି। ଆଣ୍ଟି-ଡ୍ରୋନ୍ ପାଟ୍ରୋଲିଂ, ସିସିଟିଭି ସର୍ଭିଲାନ୍ସ ଓ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ର ନଜରରେ ରହିଛି ପରେଡ୍ ଗ୍ରାଉଣ୍ଡ। ବନ୍ଧୁକଧାରୀ ପୋଲିସ କର୍ମଚାରୀଙ୍କ ସହ ୱାଚ୍ ଟାୱାରରୁ ମଧ୍ୟ ନଜର ରଖାଯାଉଛି।
ପରେଡ୍ ଗ୍ରାଉଣ୍ଡକୁ ପ୍ରବେଶ ପୂର୍ବରୁ ମେଟାଲ୍ ଡିଟେକ୍ଟରରେ କଡ଼ା ଯାଞ୍ଚ କରାଯାଉଛି। କେବଳ ପାସଧାରୀଙ୍କୁ ଯାଞ୍ଚ ପରେ ପ୍ରବେଶ ଅନୁମତି ମିଳୁଛି। ପରେଡ୍ ଗ୍ରାଉଣ୍ଡ ଦେଇ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି। ଏଥିପାଇଁ ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
କେବଳ ଗାନ୍ଧୀ ମାର୍ଗ ନୁହେଁ, ଭୁବନେଶ୍ୱର ଏୟାରପୋର୍ଟ, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ମଧ୍ୟ ହାଇ ଆଲର୍ଟ ଜାରି ରହିଛି। ବିଭିନ୍ନ ହୋଟେଲରେ ରାତି ଅଧିଆ ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ଗତିବିଧି ଉପରେ ପୋଲିସର ତୀକ୍ଷ୍ଣ ନଜର ରହିଛି।