ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୋଲିସ ଡିଜି ୱାଇ.ବି. ଖୁରାନିଆ। କାର୍ଯ୍ୟକାଳ ଶେଷ ହେବାର ଦୁଇ ଦିନ ପୂର୍ବରୁ ଓଡ଼ିଶା ପୋଲିସ ଡିଜି ୱାଇ.ବି. ଖୁରାନିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଏହି ସାକ୍ଷାତ ହୋଇଥିବା ଜଣାପଡ଼ିଛି।
ଏହି ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଡିଜିପିଙ୍କ ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ କାର୍ଯ୍ୟ କରୁଥିବା ୱାଇ.ବି. ଖୁରାନିଆ (ଯୋଗେଶ ବାହାଦୁର ଖୁରାନିଆ) ହେଉଛନ୍ତି ୧୯୯୦ ବ୍ୟାଚ୍ର ଜଣେ ବରିଷ୍ଠ ଆଇପିଏସ୍ ଅଫିସର। କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିବା ପରେ ସେ ଓଡ଼ିଶା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଆସନ୍ତା ଅଗଷ୍ଟ ୧୬, ୨୦୨୬ରେ ସେ ଏହି ପଦବୀରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ଅବସର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଏହି ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ଓଡ଼ିଶା ପୋଲିସର ନୂଆ ମୁଖ୍ୟ କିଏ ହେବେ, ତାହା ଏଯାଏଁ ଘୋଷଣା ହୋଇନାହିଁ। ତେଣୁ ପରବର୍ତ୍ତୀ ଡିଜିପି ନିଯୁକ୍ତିକୁ ନେଇ ପୋଲିସ ମହଲଠାରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଉତ୍ସୁକତା ଦେଖାଦେଇଛି । ନୂଆ ଡିଜିପିଙ୍କ ନାଁ କେବେ ଘୋଷଣା ହେବ ଏବଂ ରାଜ୍ୟ ପୋଲିସର ନେତୃତ୍ୱ କାହାକୁ ମିଳିବ ଏବେ ସମସ୍ତଙ୍କର ନଜର, ତାହା ଉପରେ ରହିଛି।