ଦିଗପହଣ୍ଡି: ଦିଗପହଣ୍ଡି ସବ୍-ଜେଲରେ ଅଭାବନୀୟ ଘଟଣା। ଜେଲ କ୍ୱାଟର୍ସ ଭିତରୁ ଜଣେ ୱାର୍ଡେନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ୱାର୍ଡେନ ହେଉଛନ୍ତି ଶିବାନନ୍ଦ ସ୍ୱାଇଁ।
ସୂଚନା ଅନୁସାରେ, ଶିବାନନ୍ଦ ପ୍ରାୟ ୧୫ ଦିନ ତଳେ ପୁରୀରୁ ବଦଳି ହୋଇ ଦିଗପହଣ୍ଡି ସବ୍-ଜେଲରେ ଯୋଗ ଦେଇଥିଲେ। ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଜେଲ କର୍ମଚାରୀମାନେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କଠାରୁ କୌଣସି ଉତ୍ତର ମିଳିନଥିଲା।
ସନ୍ଦେହ ହେବାରୁ ସହକର୍ମୀମାନେ ତାଙ୍କ କ୍ୱାଟର୍ସର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରେ ଶିବାନନ୍ଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।
ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ସାନଖେମୁଣ୍ଡି ତହସିଲଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହାସହ ବ୍ରହ୍ମପୁର ଜେଲ୍ ଡିଆଇଜି ଦିଗପହଣ୍ଡି ଜେଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।
ତେବେ ଶିବାନନ୍ଦ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ, ତାହା ଏବେ ରହସ୍ୟ ଘେରରେ। ପାରିବାରିକ ସମସ୍ୟା, ବ୍ୟକ୍ତିଗତ କାରଣ କିମ୍ବା କାର୍ଯ୍ୟସ୍ଥଳୀ ସମ୍ପର୍କିତ କୌଣସି ଚାପ ଥିଲା କି ନାହିଁ, ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି।