କେନ୍ଦୁଝର : କେନ୍ଦୁଝର ସହରରେ ଆଜି ସକାଳୁ ଲଗାଣ ବର୍ଷା ହୋଇଥିଲା । ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଦେଇ ଯାଇଥିବା କଲିକତା-ବମ୍ବେ ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟି ନିକଟରେ ଭୂସ୍ଖଳନ ହୋଇଛି । ଘାଟିରୁ ବଡ଼ ବଡ଼ ପଥର ଓ ମାଟି ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ପ୍ରଭାବିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏନଏଚଏଆଇ ପକ୍ଷରୁ ରାସ୍ତାର ଗୋଟିଏ ପଟକୁ ବନ୍ଦ କରାଯାଇଛି ।
ଫଳରେ ରାସ୍ତାର ଅନ୍ୟ ପାର୍ଶ୍ଵରେ ଯାନବାହାନ ଚଳାଚଳ କରାଯାଉଛି । ଏନଏଚଏଆଇ ତରଫରୁ ଜେସିବି ମାଧ୍ୟମରେ ରାସ୍ତା ଉପରୁ ପଥର ହଟାଇବା କାମ ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଘାଟି ରାସ୍ତାରେ ପାହାଡ଼ ଉପରୁ ବର୍ଷାଜଳ ଖସିବା ସହ, ବଡ଼ ବଡ଼ ପଥର ମଧ୍ୟ ଖସିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି ।
ଘାଟି ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚାଳକମାନେ ସତର୍କ ରହିବା ସହ ଗାଡ଼ିର ବେଗ କମ୍ ରଖିବା ଜରୁରୀ ହୋଇପଡ଼ିଛି । ଜୁଡ଼ିଆଘାଟିରେ ଭୂସ୍ଖଳନ ପରେ ଗୋଟିଏ ପଟ ରାସ୍ତା ବନ୍ଦ ଥିବାରୁ ଧୀର ଗତିରେ ଚାଲିଛି ଗାଡ଼ି । ବର୍ଷା ଜାରି ରହିଥିବାରୁ ଘାଟି ଅଞ୍ଚଳରେ ଆହୁରି ଭୂସ୍ଖଳନର ଆଶଙ୍କା ରହିଛି । ତେଣୁ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନି ଯାତାୟାତ କରୁଛନ୍ତି ।