ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାଣିପାଗ ସୂଚନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ଦୁଇଟି ଡପଲର୍ ରାଡାର କାର୍ଯ୍ୟକ୍ଷମ ଥିବା ବେଳେ ଆଗାମୀ ଦିନରେ ଆଉ ୩ଟି ନୂଆ ଡପଲର୍ ରାଡାର କାର୍ଯ୍ୟକ୍ଷମ କରାଯିବ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ନୂଆ ରାଡାର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ପାଣିପାଗର ପୂର୍ବାନୁମାନ ଆହୁରି ସହଜ, ଦ୍ରୁତ ଓ ସଠିକ୍ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ବାଲେଶ୍ୱରରେ ଏକ ଡପଲର୍ ରାଡାର ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ ଆଗାମୀ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ। ସେହିପରି ଭୁବନେଶ୍ୱରରେ ମଧ୍ୟ ଡପଲର୍ ରାଡାର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ପୁରୀରେ ଆଉ ଏକ ନୂଆ ଡପଲର୍ ରାଡାର ସ୍ଥାପନ ପାଇଁ ଯୋଜନା ହୋଇଛି।
ବିଶେଷକରି ବାତ୍ୟା, ଅତି ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ଚରମ ପାଣିପାଗ ସମୟରେ ଡପଲର୍ ରାଡାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରିବ। ଏହା ଫଳରେ ବିପଦ ଆସିବା ପୂର୍ବରୁ ଲୋକଙ୍କୁ ଆଗୁଆ ସତର୍କ କରାଯାଇପାରିବ।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଡପଲର୍ ରାଡାର ନେଟୱର୍କ ବଢ଼ିବା ଦ୍ୱାରା ବିପର୍ଯ୍ୟୟ ପରିଚାଳନା ଆହୁରି ଦକ୍ଷ ହେବ। ଆଗୁଆ ସତର୍କ ସୂଚନା ମିଳିବା ଦ୍ୱାରା ସମ୍ଭାବ୍ୟ ଧନଜୀବନ ଓ ସମ୍ପତ୍ତି କ୍ଷୟକ୍ଷତିକୁ ମଧ୍ୟ ବହୁମାତ୍ରାରେ କମାଇ ହେବ।