ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ବା ଜେନ୍-ଜିଙ୍କୁ ଦେଶର ଭବିଷ୍ୟତ, ନୂଆ ଚିନ୍ତାଧାରା ଓ ଚେତନାର ଉତ୍ସ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଯୁବକଯୁବତୀଙ୍କ ପାଇଁ ରୋଜଗାର ଓ ଦକ୍ଷତା ବିକାଶକୁ ନେଇ ବଡ଼ ରୋଡମ୍ୟାପ୍ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଯୁବପିଢ଼ି ପାଇଁ ରୋଜଗାର ସୃଷ୍ଟି କରିବା ସବୁଠୁ ବଡ଼ ଆହ୍ୱାନ। ଆଗାମୀ ଏକରୁ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଅତି କମରେ ୩ ଲକ୍ଷ ଚାକିରି ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୫ ବର୍ଷରେ ପ୍ରାୟ ୨୦ ଲକ୍ଷ ଚାକିରି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏହି ରୋଜଗାର ସୁଯୋଗର ଲାଭ ଯେପରି ଓଡ଼ିଶାର ଯୁବପିଢ଼ି ପାଇପାରିବେ, ସେଥିପାଇଁ ଶିଳ୍ପ ଓ ଭବିଷ୍ୟତର ଚାକିରି ବଜାରର ଆବଶ୍ୟକତା ଅନୁଯାୟୀ ଯୁବକଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଉଛି।
ସିଙ୍ଗାପୁର ସହ ମିଳିତ ଭାବେ ସ୍କିଲ୍ ଟ୍ରେନିଂ
ସିଙ୍ଗାପୁର ସହଭାଗିତାରେ World Skill Centerରେ ଓଡ଼ିଶାର ଯୁବପିଢ଼ିଙ୍କୁ ବିଭିନ୍ନ ଆଧୁନିକ ଦକ୍ଷତାର ପ୍ରଶିକ୍ଷଣ ଦିଆଯାଉଛି। ଏହାସହ ରାଜ୍ୟରେ ଆଉ ୩ଟି ନୂଆ World Skill Center ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା CM ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, Best Practices Surveyରେ ଓଡ଼ିଶାର Skill Model ଦେଶର ଶ୍ରେଷ୍ଠ ମଡେଲଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ITIଗୁଡ଼ିକର ଆଧୁନିକୀକରଣ ପାଇଁ Excellence ITI Scheme ଅଧୀନରେ ରାଜ୍ୟର ୨୫ଟି ITIରେ Centers of Excellence ପ୍ରତିଷ୍ଠା କରାଯାଉଛି। ସେହିପରି ୧୩ଟି ITIରେ AI Lab ସ୍ଥାପନ କରାଯାଉଛି।
India Skillsରେ ଓଡ଼ିଶା ନ୍ୟାସନାଲ୍ ସ୍କିଲ୍ ଚାମ୍ପିଅନ୍
ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଯୁବପିଢ଼ି ଦେଶରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। India Skills 2025-26ରେ ଓଡ଼ିଶା National Skill Champion ହୋଇଥିବା CM କହିଛନ୍ତି।
ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଓଡ଼ିଶାର ଯୁବପିଢ଼ି ୫୭ଟି ପଦକ ଜିତିଛନ୍ତି। ଏହା ସାଧାରଣ ସଫଳତା ନୁହେଁ, ବରଂ ଓଡ଼ିଶାର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯୁବପିଢ଼ିଙ୍କୁ ସତର୍କ କଲେ ମୁଖ୍ୟମନ୍ତ୍ରୀ
ଅନ୍ୟପକ୍ଷରେ ଯୁବପିଢ଼ିଙ୍କୁ ଭ୍ରମିତ କରିବା ପାଇଁ କିଛି ବାହ୍ୟ ଶକ୍ତି ଉଦ୍ୟମ କରୁଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସତର୍କ କରିଛନ୍ତି। ଦେଶକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଦେଖିବାକୁ ଚାହୁଁନଥିବା ଶକ୍ତିମାନେ ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି।
ଯୁବପିଢ଼ିଙ୍କ ସାମ୍ନାରେ ଥିବା ରୋଜଗାର ସୁଯୋଗକୁ ସଠିକ୍ ଭାବେ ଉପଯୋଗ କରିବା ସହ ଆଧୁନିକ ଶିଳ୍ପର ଆବଶ୍ୟକତା ଅନୁଯାୟୀ ନିଜକୁ ଦକ୍ଷ କରିବାକୁ CM ଆହ୍ୱାନ ଦେଇଛନ୍ତି।