ସମ୍ବଲପୁର: ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳର କଂସର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ‘ଶ୍ରୀ ଜଗନ୍ନାଥ’ ନାମକ ଯାତ୍ରୀବାହୀ ବସ୍ଟି ପୁରୀରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ତେବେ କଂସର ନିକଟରେ ରାସ୍ତାକଡ଼ରେ ଏକ ଟ୍ରଲର ଛିଡ଼ା ହୋଇଥିଲା। ଏହି ସମୟରେ କୌଣସି କାରଣରୁ ବସ୍ଟି ନିୟନ୍ତ୍ରଣ ହରାଇ ଟ୍ରଲରକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ତୀବ୍ର ଥିଲା ଯେ ବସ୍ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିଲା। ଦୁର୍ଘଟଣା ପରେ ବସ୍ ଭିତରେ ଚିତ୍କାର ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ବାହାର କରାଯାଇ ଚିକିତ୍ସା ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ଗୁରୁତର ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଯୁଯୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍ଟି କିପରି ନିୟନ୍ତ୍ରଣ ହରାଇଲା ଏବଂ ରାସ୍ତାକଡ଼ରେ ଟ୍ରଲରଟି କେଉଁ ପରିସ୍ଥିତିରେ ଛିଡ଼ା ହୋଇଥିଲା, ସେନେଇ ତଦନ୍ତ ଚାଲିଛି।