ଭୁବନେଶ୍ୱର: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ BDA ସେକ୍ସନ ଅଫିସରଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ। ଭୁବନେଶ୍ୱର ଅତିରିକ୍ତ ସ୍ପେଶାଲ ଜଜ୍, ଭିଜିଲାନ୍ସ କୋର୍ଟ ଅବସରପ୍ରାପ୍ତ ସେକ୍ସନ ଅଫିସର ତାରିଣୀ ଚରଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଛି।
ତାରିଣୀ ଚରଣ ଦାସ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA)ର ଆଲଟମେଣ୍ଟ ସେକ୍ସନରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଘରର ମାଲିକାନା ହସ୍ତାନ୍ତର ପାଇଁ ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କଠାରୁ ସେ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ପରେ ଲାଞ୍ଚ ଗ୍ରହଣ ଅଭିଯୋଗକୁ ନେଇ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରିଥିଲା।
ତଦନ୍ତ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ତତ୍କାଳୀନ କାର୍ଯ୍ୟରତ ଅଧିକାରୀ ତାରିଣୀ ଚରଣ ଦାସଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ମାମଲାର ଶୁଣାଣି ପରେ ଅଗଷ୍ଟ ୧୪, ୨୦୨୬ରେ କୋର୍ଟ ଅଭିଯୋଗ ପ୍ରମାଣିତ ହୋଇଥିବା ଦର୍ଶାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ତେବେ ଅବସର ପରେ ମଧ୍ୟ ତାରିଣୀ ଚରଣଙ୍କ ପାଇଁ ଆଶ୍ୱସ୍ତି ନାହିଁ। ଦୁର୍ନୀତି ମାମଲାରେ ଦଣ୍ଡିତ ହୋଇଥିବାରୁ ତାଙ୍କ ପେନସନ୍ ସୁବିଧା ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ।