ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ସାଂସଦ ରାହୁଲ ଗାନ୍ଧୀଙ୍କ ବୈଦେଶିକ ନୀତି ମନ୍ତବ୍ୟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ରାହୁଲଙ୍କ ମନ୍ତବ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ଷୋଭ ପ୍ରକାଶ କରିଛନ୍ତି । ରାଜନାଥ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଶସ୍ତା ଏବଂ ନିନ୍ଦନୀୟ । ଜଣେ “ଗାନ୍ଧୀ ସାଙ୍ଗିଆ” ଥିବା ବ୍ୟକ୍ତିଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ ।
କେନ୍ଦ୍ର ମନ୍ତ୍ରୀ ନିରାଶ ପ୍ରକାଶ କରି କହିଛନ୍ତି ଯେ ତାଙ୍କର ଲମ୍ବା ରାଜନୈତିକ ଜୀବନରେ ଲୋକସଭା ବିରୋଧୀ ଦଳ ନେତାଙ୍କ ଏଭଳି ଅଭଦ୍ର ଓ ଅକଳ୍ପନୀୟ ବ୍ୟବହାର କେବେ ଦେଖି ନାହାଁନ୍ତି । ରାହୁଲଙ୍କ ମନରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କ୍ଷୋଭ ଥାଇ ପାରେ କିନ୍ତୁ ଏଭଳି ଅଭଦ୍ର ଟିପ୍ପଣୀ କଦାପି ସ୍ୱୀକାର କରାଯାଇପାରିବ ନାହିଁ । ବିଶେଷ କରି ଯେଉଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି ଏବଂ ଭାରତକୁ ବିକାଶର ରାସ୍ତା ଦେଖାଇଛନ୍ତି ।
ରାଜନାଥ ସିଂ କଡ଼ା ପ୍ରଶ୍ନବାଣରେ କଂଗ୍ରେସକୁ ଘାଇଲା କରିଛନ୍ତି । ରାଜନାଥ ପ୍ରଶ୍ନ କରିଛନ୍ତି, ଏଭଳି ଭାଷା ଓ ଆଚରଣ ପରେ କଂଗ୍ରେସ ଦଳ ଲାଲ-ବାଲ-ପାଲ, ଗାନ୍ଧୀ, ପଟେଲ, ନେହେରୁ, ସୁଭାଷ ବାବୁ, ରାଜେନ୍ଦ୍ର ବାବୁ, ଶାସ୍ତ୍ରୀ, ନରସିଂହା ରାଓ ଏବଂ ପ୍ରଣବ ମୁଖାର୍ଜୀଙ୍କ ଅନୁଗାମୀ ବୋଲି ଦାବି କରିପାରିବ କି ? ରାହୁଲ ଗାନ୍ଧୀ ନିଜ ଆଚରଣ କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିନାହାଁନ୍ତି ବରଂ ଅନ୍ତର୍ଜାତୀୟ ସ୍ତରରେ ଭାରତ ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି । ଖାଲି ସେତିକି ନୁହେଁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ପଦର ଗୌରବକୁ ଖିନ୍ ଭିନ୍ କରି ଦେଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଦେଶିକ ନୀତି ଉପରେ କଡ଼ା ସମାଲୋଚନା କରିଥିଲେ । ରାହୁଲ କଟାକ୍ଷ କରି କହିଥିଲେ ଯେ ଏବେକାର ବୈଦେଶିକ ନୀତି କେବଳ “ବ୍ୟକ୍ତିଗତ ଆଲୋଚନା” “ବିଦେଶୀ ନେତାଙ୍କ ସହିତ ହାତ ମିଳାଇବା” ଏବଂ ନେତାମାନଙ୍କ ମଧ୍ୟରେ “ଆଲିଙ୍ଗନ” ପର୍ଯ୍ୟନ୍ତ ସୀମିତ ହୋଇଯାଇଛି।