ନୂଆଦିଲ୍ଲୀ: ସାରା ଦେଶରେ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୫ ତାରିଖରେ ପାଳନ ହେବ ୮୦ତମ ସ୍ୱାଧୀନତା ଦିବସ । କିନ୍ତୁ ମଧ୍ୟ ପ୍ରଦେଶର ଏମିତି ଦୁଇଟି ମନ୍ଦିର ଯେଉଁଠି ଚାରି ଦିନ ପୂର୍ବରୁ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଅଗଷ୍ଟ ୧୧ ତାରିଖରେ ମନ୍ଦସୌର ପଶୁପତିନାଥ ମନ୍ଦିର ଏବଂ ଉଜ୍ଜୈନ ବଡ଼ ଗଣେଶ ମନ୍ଦିରରେ ଜାତୀୟ ପତାକା ଉତ୍ତୋଳନ ହୋଇଛି । ଖାଲି ସେତିକି ନୁହେଁ ସ୍ୱାଧୀନତା ଦିବସ ଉପଲକ୍ଷେ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ ମଧ୍ୟ କରାଯାଇଛି । ଏହାର କାରଣ ଏହି ମନ୍ଦିରରେ ତିଥି ଅନୁସାରେ ପାଳନ ହୋଇଥାଏ ସ୍ୱାଧୀନତା ଦିବସ ।
ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ୧୫ ଅଗଷ୍ଟ, ୧୯୪୭ ମସିହାରେ ଆମ ଦେଶ ଭାରତ ଇଂରେଜଙ୍କ କବଳରୁ ମୁକ୍ତ ହୋଇଥିଲା । ସେହି ଦିନ ଭାରତବାସୀ ଦେଖିଥିଲେ ଏକ ନୂଆ ସକାଳ । ୨୦୦ ବର୍ଷର ବ୍ରିଟିଶ ଶାସନର ଅନ୍ତ ଘଟିଥିଲା । କିନ୍ତୁ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ସେଦିନର ତିଥି ଆଉ ନକ୍ଷତ୍ର କିଛି ଅଲଗା ଥିଲା । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାରତ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ସ୍ୱାଧୀନ ହୋଇଥିଲା ।
ସେଥିପାଇଁ ପଶୁପତିନାଥ ମନ୍ଦିର ଏବଂ ଉଜ୍ଜୈନ ବଡ଼ ଗଣେଶ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ୧୯୮୫ ମସିହାରୁ ପଶୁପତିନାଥ ମନ୍ଦିରରେ ଏହି ପରମ୍ପରା ଚାଲି ଆସୁଛି । ଏହି ଦିନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ । ଖାଲି ସେତିକି ନୁହେଁ ବିକଶିତ ଭାରତ-୨୦୪୭ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଏହା ସହିତ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି । ଇଂରାଜୀ କ୍ୟାଲେଣ୍ଡର ବଦଳରେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସ୍ୱାଧୀନତା ଦିବସ ପାଳନ କରିବାକୁ ମନ୍ଦିରର ପୂଜକ ଓ ବୁଦ୍ଧିଜୀବୀ ମତ ରଖନ୍ତି ।