ନୂଆଦିଲ୍ଲୀ: ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଆଜି ସମଗ୍ର ଦେଶ ନୂତନ ଉତ୍ସାହ, ଉଦ୍ଦୀପନା ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ୁଛି। ଦେଶର ସ୍ୱାଧୀନତା ଏବଂ ସମୃଦ୍ଧି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଜି ଦେଶ କୃତଜ୍ଞତାର ସହ ସ୍ମରଣ କରୁଛି।
ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କୌଣସି ଜାତି ସେତେବେଳେ ମହାନ ହୁଏ, ଯେତେବେଳେ ସେ ନିଜର ସ୍ୱପ୍ନ, ସଂକଳ୍ପ ଏବଂ ସାମର୍ଥ୍ୟ ବଳରେ ଆଗକୁ ବଢ଼ିଥାଏ। ଦେଶ ବର୍ତ୍ତମାନ ଆଉ ଛୋଟ ସଂକଳ୍ପରେ ଚାଲିବ ନାହିଁ। ସେ କହିଛନ୍ତି ଯେ ବଡ଼ ସ୍ୱପ୍ନ ଆମକୁ ବିସ୍ତାର ଦେଇଥାଏ ଏବଂ ଯେତେବେଳେ ସଂକଳ୍ପ ଦୃଢ଼ ହୁଏ, ସେତେବେଳେ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଥାଏ। ଆଜି ଭାରତ ଏକ ସ୍ୱପ୍ନ ଦେଖିଛି ଏବଂ ସଂକଳ୍ପ ନେଇଛି ଯେ, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରାଯିବ।
ଦେଶର ଆର୍ଥିକ ପ୍ରଗତି ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମା ଅତିକ୍ରମ କରି ବାହାରକୁ ଆସିଛନ୍ତି। ୨୦୧୪ ମସିହା ପର୍ଯ୍ୟନ୍ତ ବିଶ୍ୱ ଆମକୁ 'ଫ୍ରାଜିଲ୍ 5' ଅର୍ଥାତ୍ ଦୁର୍ବଳ ଅର୍ଥବ୍ୟବସ୍ଥା ଭାବେ ଗଣନା କରୁଥିଲା, ମାତ୍ର ଗତ ୧୨ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ଆଜି ବିଶ୍ୱର ଏକ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି।
ଗତ ୧୨ ବର୍ଷ ଭିତରେ ଦେଶର ଉତ୍ପାଦନ କ୍ଷମତାରେ ଅଭୂତପୂର୍ବ ବୃଦ୍ଧି ଘଟିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ ପ୍ରାୟ ୪ ଗୁଣ, ଖାଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦନ ପ୍ରାୟ ୫ ଗୁଣ, ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ପ୍ରାୟ ୭ ଗୁଣ, ଆଧୁନିକ ରେଳ କୋଚ୍ ନିର୍ମାଣ ୨୧ ଗୁଣ ଏବଂ ମୋବାଇଲ୍ ଫୋନ୍ ଉତ୍ପାଦନ ୩୩ ଗୁଣ ବୃଦ୍ଧି ପାଇଛି।
ଆଜିର ଡିଜିଟାଲ୍ ଯୁଗରେ ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିମ୍ବା ମେଡିକାଲ୍ ଯନ୍ତ୍ରାଂଶ ପାଇଁ 'ଚିପ୍' ଅତ୍ୟନ୍ତ ଜରୁରୀ ହୋଇଥିବାରୁ, ଭାରତ ବର୍ତ୍ତମାନ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଆରମ୍ଭ କରିସାରିଛି ଏବଂ ସେଠାରୁ ରପ୍ତାନି ମଧ୍ୟ ଆରମ୍ଭ ହୋଇଯାଇଛି। ଆଗକୁ ଆହୁରି ୫ଟି ନୂତନ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଦେଶର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନଲାଇନ୍ କୋଚିଂ ବ୍ୟବସ୍ଥା ଆରମ୍ଭ କରିବେ। ଗରିବରୁ ଅତି ଗରିବ ପିଲାମାନଙ୍କ ପାଖରେ ଉତ୍ତମ ଶିକ୍ଷା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ହୋଇଥିବାବେଳେ ଯୁବକମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଏହି ମାଗଣା କୋଚିଂର ସୁବିଧା ପାଇପାରିବେ। ଏହାସହ ଆଗାମୀ ଗୋଟିଏ ବର୍ଷ ଭିତରେ ଦେଶର ୧ କୋଟି ଯୁବକଯୁବତୀଙ୍କୁ 'ଏଆଇ' ତାଲିମ ପ୍ରଦାନ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।