ନୂଆଦିଲ୍ଲୀ: ଦେଶରେ ରେଳ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଇଛି । ତତସହିତ କୋଟି କୋଟି ଟଙ୍କାର ରାଜସ୍ୱ ହାନି ମଧ୍ୟ ହୋଇଛି । ବିଗତ ୨୬ ମଧ୍ୟରେ ଦେଶରେ ୪୦୦୩ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ୩,୫୯୪ ଜଣ ନିଜର ବହୁମୂଲ୍ୟ ଜୀବନ ହରାଇଛନ୍ତି । ଏହାସହିତ ୬୯୦୦ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଦ୍ୱାରା ଆରଟିଆଇରୁ ଏହି ତଥ୍ୟ ମିଳିଛି ।
ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ ୨୦୦୦ ମସିହାରୁ ୨୦୨୬ ପର୍ୟ୍ୟନ୍ତ ହଜାର ହଜାର ସଂଖ୍ୟାରେ ରେଳ ଦୁର୍ଘଟଣା ହୋଇଛି । ୨୦୦୦-୨୦୦୧ରୁ ୨୦୦୩-୨୦୦୪ ମଧ୍ୟରେ ହୋଇଥିବା ରେଳ ଦୁର୍ଘଟଣାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ଜନ ସୂଚନା ଅଧିକାରୀଙ୍କ ନିକଟରେ କୌଣସି ତଥ୍ୟ ନାହିଁ । କିନ୍ତୁ ପରବର୍ତ୍ତୀ ବର୍ଷ ଗୁଡ଼ିକର ରେଳ ଦୁର୍ଘଟଣା ତଥ୍ୟ ରହିଛି ।
ସବୁଠାରୁ ଅଧିକ ମର୍ମନ୍ତୁଦ ରେଳ ଦୁର୍ଘଟଣା ୨୦୧୦ -୧୧ ବର୍ଷରେ ହୋଇଛି । ଏହି ବର୍ଷରେ ମୋଟ ୧୪୧ଟି ରେଳ ଦୁର୍ଘଟଣା ହୋଇଥିବାବେଳେ ୩୮୧ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୦୧୧-୧୨ ମସିହାରେ ୧୩୧ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ୩୧୯ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୭୧୬ ଜଣ ଆହତ ହୋଇଛନ୍ତି । ୨୦୧୪-୧୫ ମସିହାରେ ୧୩୫ଟି ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା । କିନ୍ତୁ ମୃତ୍ୟ ସଂଖ୍ୟା ୨୦୦ ପାର୍ କରିଥିଲା । ସେହିବର୍ଷ ୨୯୨ ଜଣ ପ୍ରାଣ ହରାଇଛନ୍ତି ।
୨୦୦୪-୦୫ ରୁ ୨୦୦୮-୦୯ ବଡ଼ ଦୁର୍ଘଟଣା ସଂଖ୍ୟା ୨୩୪ ରୁ ୧୭୭କୁ ହ୍ରାସ ପାଇଥିଲା । କିନ୍ତୁ ବାର୍ଷିକ ମୃତ୍ୟୁ ସଂଖ୍ୟା ୧୯୧ ରୁ ୩୧୫ ମଧ୍ୟରେ ରହିଥିଲା। ସେହିପରି ୨୦୧୭-୧୮ ରୁ ୨୦୨୦-୨୧ ରେଳ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ପରିଲକ୍ଷିତ ହୋଇଥିଲା । ଦୁର୍ଘଟଣା ସଂଖ୍ୟା ୭୩ ରୁ ୨୨ କୁ ହ୍ରାସ ପାଇଛି, ଏବଂ ମୃତ୍ୟୁ ସଂଖ୍ୟା ୫୮ ରୁ ମାତ୍ର ୪ କୁ ହ୍ରାସ ପାଇଛି।
୨୦୨୩-୨୪ରେ ରେଳ ଦୁର୍ଘଟଣାରେ ସୁଧାର ଆସିଥିଲା । ସେହି ବର୍ଷ ମାତ୍ର ୪୦ଟି ଦୁର୍ଘଟଣା ହୋଇଥିଲା । କିନ୍ତୁ ସେହି ବର୍ଷ ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ରେଳ ଦୁର୍ଘଟଣା ଯୋଗୁଁ ମୋଟ ୩୨୦ ଜଣ ପ୍ରାଣ ହରାଇଥିଲେ । ସେହିବର୍ଷ ୭୪୯ ଲୋକ ଆହତ ହୋଇଥିଲେ । ବାଲେଶ୍ୱର ରେଳ ଦୁର୍ଘଟଣାରେ ଦେଶରେ ହୋଇଥିବା ଭୟଙ୍କର ଦୁର୍ଘଟଣା ମଧ୍ୟରେ ଗୋଟିଏ ଥିଲା ।
ପୁରୀ ଷ୍ଟେସନ ନିକଟରେ ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା; ଲାଇନଚ୍ୟୁତ ହେଲା ମେମୁ ଟ୍ରେନ
ବାଲେଶ୍ୱର ଦୁର୍ଘଟଣା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଫଳରେ ରେଳ ଦୁର୍ଘଟଣା ସଂଖ୍ୟା ସିଧାସଳକ ୨୦ ତଳକୁ ଖସି ଆସିଥିଲା । ୨୦୨୪-୨୫ ବର୍ଷରେ ମାତ୍ର ୧୮ଟି ଓ ୨୦୨୫-୨୬ ବର୍ଷରେ ମାତ୍ର ୧୭ଟି ଦୁର୍ଘଟଣା ହୋଇଥିବା ଆରଟିଆଇ ତଥ୍ୟରେ ରହିଛି ।
ତେବେ ଦେଖିବାକୁ ଗଲେ ବିଗତ ଦଶ ବର୍ଷ ମଧ୍ୟରେ ରେଳ ଦୁର୍ଘଟଣା ଅହେତୁକଭାବେ ହ୍ରାସ ପାଇଛି । ବିଶେଷ କରି ଏନଡିଏ ସରକାର ରେଳ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି । ୨୦୧୪ ପରଠାରୁ ରେଳ ଦୁର୍ଘଟଣାରେ ବ୍ୟାପକ ସୁଧାର ଆସିଥିବାବେଳେ ଦୁର୍ଘଟଣା ମଧ୍ୟ ହ୍ରାସ ପାଇଛି ।