ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀଙ୍କ ସମେତ ସମଗ୍ର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା। ଏହି ଅବସରରେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀ ଓ ଦେଶ ପାଇଁ ବଳିଦାନ ଦେଇଥିବା ଅମର ସହିଦମାନଙ୍କୁ ସ୍ମରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ଏକ ପୋଷ୍ଟ କରି ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମର ଅଜଣା ଓ ଅସଂଖ୍ୟ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି, ଯେଉଁ ବୀରମାନଙ୍କ ସାହସ, ବଳିଦାନ ଓ ଅବିଚଳ ଦେଶପ୍ରେମ ଭାରତକୁ ସ୍ୱାଧୀନତା ଆଣିଥିଲା, ସେମାନଙ୍କ ଅବଦାନ ସବୁବେଳେ ଇତିହାସର ପୃଷ୍ଠାରେ ସ୍ଥାନ ପାଇନଥିଲେ ମଧ୍ୟ ତାଙ୍କ ବଳିଦାନ ଆମେ ଉପଭୋଗ କରୁଥିବା ସ୍ୱାଧୀନତାରେ ସବୁଦିନ ଜୀବନ୍ତ ରହିବ।
ସେମାନଙ୍କ ଆଦର୍ଶକୁ ସମ୍ମାନ ଜଣାଇ ଏକତା, ସଚ୍ଚୋଟତା ଓ ଦୃଢ଼ ସଙ୍କଳ୍ପ ସହ ଦେଶ ସେବା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହାସହ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନ ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ସହିଦମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିଛନ୍ତି। ସେ କହିଛନ୍ତି, ଅସଂଖ୍ୟ ସହିଦଙ୍କ ବଳିଦାନ ଆମକୁ ସ୍ୱାଧୀନତା ଓ ସମ୍ମାନ ଦେଇଛି। ୮ ଦଶନ୍ଧିର ସଂଘର୍ଷ, ପ୍ରଗତି ଓ ଏକତା ଭାରତକୁ ଏକ ଶକ୍ତିଶାଳୀ ଗଣତନ୍ତ୍ର ଭାବେ ଗଢ଼ି ତୋଳିଛି। ତ୍ରିରଙ୍ଗାକୁ ସଲାମ କରି ନ୍ୟାୟ, ସ୍ୱାଧୀନତା ଓ ସମାନତାର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ପୁଣିଥରେ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ସ୍ୱାଧୀନତା ଦିବସରେ ନେତାମାନଙ୍କ ଏହି ବାର୍ତ୍ତା ମଧ୍ୟରେ ଦେଶର ବୀର ସହିଦଙ୍କ ବଳିଦାନକୁ ସ୍ମରଣ କରିବା ସହ ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ଏକତା ଓ ସଂକଳ୍ପର ଆହ୍ୱାନ ଦିଆଯାଇଛି।