ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାଦାଦୂର ଖୁରାନିଆ ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ ଚାକିରୀରୁ ଅବସର ନେବେ । ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏହି ଦାୟିତ୍ୱ ସମ୍ଭାଳିବେ । ଆସନ୍ତା ୧୬ ତାରିଖରୁ ସେ ଏହି ଦାୟିତ୍ୱ ସମ୍ଭାଳିବେ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି ।
୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କର ଆସନ୍ତା ଅଗଷ୍ଟ ୧୬ରେ କାର୍ଯ୍ୟକାଳ ଶେଷ ହେଉଛି । ଏହା ପରେ ପରବର୍ତ୍ତୀ ଡିଜିପି ଚୟନ ନେଇ ୟୁପିଏସସି ଚୟନ କମିଟିରେ ବୈଠକ ହୋଇଛି । ମାତ୍ର ରାଜ୍ୟ ସରକାର ଡିଜିପି ଚୟନ ପ୍ରକ୍ରିୟାର ଆଇନ ଉଲ୍ଲଂଘନ କରିଥିବାର ଅଭିଯୋଗ ନେଇ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟ ଏହାର ତ୍ୱରିତ ଶୁଣାଣି କରି ଡିଜିପି ଚୟନ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାର କରିଛନ୍ତି । ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ପରେ ନିଷ୍ପତ୍ତି ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।