ଭୁବନେଶ୍ୱର: ସମାଜରେ ବଢ଼ୁଥିବା ସାଇବର ଅପରାଧ ଓ ଏହାର ମୁକାବିଲା ପୋଲିସ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସାଇବର ଠକାମୀରୁ ଲୋକଙ୍କୁ ରକ୍ଷା କରିବାକୁ ଓଡ଼ିଶା ପୋଲିସ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରିଛି । ଆଜି ରାଜ୍ୟବ୍ୟାପୀ ଆୟୋଜିତ ହୋଇଥିବା ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମରେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀ ଅଂଶଗ୍ରହଣ କରି ସାଇବର ସଚେତନତା କ୍ଷେତ୍ରରେ ଓଡ଼ିଶାର ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ସାଇବର ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ୩୫ଟି ପୋଲିସ ଜିଲ୍ଲା ଅନ୍ତର୍ଗତ ୨୦,୦୦୦ରୁ ଅଧିକ ବିଦ୍ୟାଳୟ ଏବଂ ୨,୦୦୦ରୁ ଅଧିକ ମହାବିଦ୍ୟାଳୟ ଲାଇଭ୍ ୱେବକାଷ୍ଟ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଅଭିଯାନରେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ସାଇବର ଠକେଇରୁ ରକ୍ଷା ପାଇବା, ‘ଗୋଲ୍ଡେନ୍ ଆୱାର’ରେ ଅଭିଯୋଗ ଦାଖଲ, ତୁରନ୍ତ ୧୯୩୦ ନମ୍ବରକୁ ଯୋଗାଯୋଗ ଏବଂ ସାଇବର୍ ପୋର୍ଟାଲରେ ତୁରନ୍ତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି କୌଣସି ବ୍ୟାଙ୍କ ତଥ୍ୟ ନେ ଦେବା, ଓଟିପି, ପିନ୍ ଓ ସିସିବି ନ ଦେବା ଓ ଡିଜିଟାଲ୍ ଆରେଷ୍ଟକୁ ଭୟ ନ କରିବାକୁ ସଚେତନ କରାଯାଇଥିଲା ।
ବର୍ତ୍ତମାନ ସମୟରେ ସାଇବର ଅପରାଧର ବିଭିନ୍ନ ନୂଆ ରୂପ ସାମ୍ନାକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅନଲାଇନ୍ ଠକେଇ, ବ୍ଲାକମେଲିଂ ଏବଂ ବିଭିନ୍ନ ପ୍ରକାର ଡିଜିଟାଲ୍ ଶୋଷଣର ଶିକାର ହେଉଛନ୍ତି। ଏପରିକି କେତେକ କ୍ଷେତ୍ରରେ ଅଜାଣତରେ ନିଜର ବ୍ୟାଙ୍କ ଖାତା, ସିମ୍ କାର୍ଡ କିମ୍ବା ପରିଚୟପତ୍ରକୁ ସାଇବର ଅପରାଧୀଙ୍କ ଦ୍ୱାରା ଅପବ୍ୟବହାର ପାଇଁ ଉପଲବ୍ଧ କରାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଯୁବପିଢ଼ିଙ୍କୁ ସାଇବର ବିପଦ ସମ୍ପର୍କରେ ସଚେତନ କରିବା ‘ସାଇବର ସଚେତନତାର ଦୂତ’ ଭାବେ ଗଢ଼ି ତୋଳିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା।
ଏହି ଅବସରରେ ମାନ୍ୟବର ରାଜ୍ୟପାଳ, ଓଡ଼ିଶା ଡ. ହରି ବାବୁ କମ୍ଭମପାଟି ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ନେଇ ସଚେତନ ଓ ସତର୍କ ରହିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର-ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜରେ ସାଇବର ସଚେତନତାର ଦୂତ ହେବାକୁ ଆହ୍ୱାନ ଦେଇଥିଲେ। “ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—ସାଇବର ସୁରକ୍ଷିତ ଓଡ଼ିଶା” ବାର୍ତ୍ତା ସହ ଏହି ବୃହତ୍ତମ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନର ସଫଳ ସମାପନ ହୋଇଥିଲା।
କାର୍ଯ୍ୟକ୍ରମରେ କମିଶନର-ତଥା-ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଡ. ଏନ୍. ତିରୁମାଳା ନାଏକ, କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର, ଡିଆଇଜି ମଡକର ସନ୍ଦୀପ ସମ୍ପତଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ପୋଲିସ ଓ ଶିକ୍ଷା ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।