ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ଟିମକୁ ମିଳିଛି ବଡ଼ ସଫଳତା। ମାଳପୁରା ଗାଁରେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କ ଘରୁ ୮ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।
ଏହି ଘଟଣାରେ ଗାଁର କୁଟୁଣା ସାହୁଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗର ସୂଚନା ଅନୁସାରେ, କୁଟୁଣା ନିଜ ଘର ପଛପଟେ ଥିବା ପାଇଖାନା ଘରେ ଗଞ୍ଜେଇ ରଖି ବେପାର କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଢେଙ୍କାନାଳ ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଓ କାମାକ୍ଷାନଗର ଅବକାରୀ ଟିମ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ସମୟରେ ଘର ପଛପଟ ପାଇଖାନା ଘରୁ ୮ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହାର ମୂଲ୍ୟ ଅଶି ହଜାର ଟଙ୍କାରୁ ଅଧିକ ହେବ । ଅଭିଯୁକ୍ତ କୁଟୁଣା ସାହୁଙ୍କୁ ଅବକାରୀ ଟିମ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଉପଅଧିକ୍ଷକ ସାୱନ କୁମାର ଭୋଳ ସୂଚନା ଦେଇଛନ୍ତି।