ଭୁବନେଶ୍ୱର: ଗାନ୍ଧୀ ମାର୍ଗରେ ଭବ୍ୟ ଭାବେ ପାଳିତ ହେଉଛି ରାଜ୍ୟସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହ। ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ସମ୍ବୋଧନରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ଓଡ଼ିଶା ଓ ଦେଶର ବିକାଶ ଯାତ୍ରା ନେଇ ଅନେକ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନକୁ ସ୍ମରଣ କରି ମୋହନ ମାଝୀ କହିଛନ୍ତି, ଓଡ଼ିଶାର ଜନ ଆନ୍ଦୋଳନ ବିନା ଭାରତର ସ୍ୱାଧୀନତାର ପରିକଳ୍ପନା ଅସମ୍ପୂର୍ଣ୍ଣ। ସ୍ୱାଧୀନତା ପାଇଁ ଲଢ଼ିଥିବା ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୮୦ ବର୍ଷର ସ୍ୱାଧୀନତା ଯାତ୍ରାରେ ଭାରତ ବିକାଶର ପଥରେ ଦ୍ରୁତଗତିରେ ଆଗେଇ ଚାଲିଛି। ଗତ ଏକ ବର୍ଷ ଦେଶ ପାଇଁ ଅତ୍ୟନ୍ତ ଘଟଣାବହୁଳ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଠିକ୍ ନିଷ୍ପତ୍ତି ଯୋଗୁଁ ଦେଶ ଠିକ୍ ମାର୍ଗରେ ଆଗକୁ ବଢ଼ୁଛି।
ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନୀତି ଭାରତକୁ ବିକାଶର ନୂଆ ଦିଗ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି। ଗରିବ ଲୋକମାନେ ମଧ୍ୟ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇପାରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଦେଶ ଆଜି ସୁରକ୍ଷିତ ରହିଛି ବୋଲି ମଧ୍ୟ କହିଛନ୍ତି।
ବିକଶିତ ଭାରତ ଗଠନରେ ଯୁବଶକ୍ତିର ଭୂମିକାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଯୁବଶକ୍ତି ହେଉଛି ବିକଶିତ ଭାରତ ଗଠନର ମୁଖ୍ୟ ଯୋଦ୍ଧା।” ଦେଶର ଭବିଷ୍ୟତ ଗଠନରେ ଯୁବପିଢ଼ି ଆଗକୁ ଆସିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି।
ସେହିପରି ଦେଶର ସବୁଠୁ ଉଲ୍ଲେଖନୀୟ ସଫଳତା ଭାବେ ନକ୍ସଲବାଦର ମୂଳପୋଛକୁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ନକ୍ସଲବାଦ ବିରୋଧରେ ସଫଳ ଅଭିଯାନ ଯୋଗୁଁ ଓଡ଼ିଶା ମଧ୍ୟ ବିଶେଷ ଭାବେ ଲାଭବାନ ହୋଇଛି ବୋଲି ସେ କହିଛନ୍ତି।
ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇ, ବିକଶିତ ଭାରତ ଗଠନ ପାଇଁ ଯୁବଶକ୍ତିକୁ ଆଗେଇ ଆସିବାର ଆହ୍ୱାନ—୮୦ତମ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟ ବାର୍ତ୍ତା ପାଲଟିଛି।