ନୂଆଦିଲ୍ଲୀ: ଭାରତର ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଶୁକ୍ରବାର ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅଭିଭାଷଣରେ ସେ ଦେଶର ଯୁବବର୍ଗ, ଶିକ୍ଷିତା ମହିଳାଙ୍କ ଅଂଶଗ୍ରହଣ, ବୈଦେଶିକ ନୀତି, ଆଧୁନିକ ବିକାଶ ଏବଂ ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଓଜସ୍ୱିନୀ ଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଏହାକୁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦତ୍ତ ଅଭିଭାଷଣ ଅତ୍ୟନ୍ତ ପ୍ରେରଣାଦାୟକ ଏବଂ ଚିନ୍ତାଶୀଳ। ତାଙ୍କର ଚିନ୍ତାଧାରା ଦେଶର ଦୃଢ଼ତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। 'ବିକଶିତ ଭାରତ' ଗଠନ ପାଇଁ ଦୃଢ଼ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ଏହି ସମ୍ବୋଧନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁ
୧. ଯୁବଶକ୍ତି ଆମର ମୂଲ୍ୟବାନ ସମ୍ପଦ
ଦେଶର ଯୁବବର୍ଗଙ୍କୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ଦେଶର ମୋଟ ଜନସଂଖ୍ୟାର ୬୫ ପ୍ରତିଶତ ଲୋକଙ୍କ ବୟସ ୩୫ ବର୍ଷରୁ କମ୍। ଏହି ଯୁବ ଜନସଂଖ୍ୟା ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ ଅଟେ। ଆମ ଦେଶର ଯୁବପିଢ଼ି ପ୍ରତିଭାବାନ, ପ୍ରତିବଦ୍ଧ ଏବଂ ଦକ୍ଷ। ତୃଣମୂଳ ସ୍ତରରେ ଯୁବକମାନଙ୍କ ଦ୍ୱାରା ବିଭିନ୍ନ ସମସ୍ୟାର ଅଭିନବ ଏବଂ ବ୍ୟବହାରିକ ସମାଧାନ ଦେଖିଲେ ସମାଜ ଓ ଦେଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ସ୍ପଷ୍ଟ ଜାଣିହୁଏ।
୨. ମହିଳା ସଶକ୍ତିକରଣ ଏବଂ ଅଗ୍ରଗତି
ଶିକ୍ଷା କ୍ଷେତ୍ରରେ ଆମର ଝିଅମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦେଖି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି। ମହିଳାମାନଙ୍କର ଆର୍ଥିକ ଆତ୍ମନିର୍ଭରଶୀଳତା ଦିନକୁ ଦିନ ବୃଦ୍ଧି ପାଉଛି। କୃଷି ଉତ୍ପାଦକତା ବୃଦ୍ଧିରେ ସହାୟକ ହେଉଥିବା 'ଡ୍ରୋନ୍ ଦିଦି'ଠାରୁ ଆରମ୍ଭ କରି ବାୟୁସେନାରେ ଫାଇଟର୍ କମ୍ବାଟ୍ ଲିଡର୍ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ ଭାବେ ବଢ଼ିବାରେ ଲାଗିଛି।
୩. ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଓ ଦୂରଦୃଷ୍ଟିସମ୍ପନ୍ନ ବୈଦେଶିକ ନୀତି
ଦେଶର ଅର୍ଥନୀତି ସମ୍ପର୍କରେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଆଜି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ପ୍ରମୁଖ ଅର୍ଥନୀତି ମଧ୍ୟରୁ ଗୋଟିଏ। ସେହିପରି ଆମର ବୈଦେଶିକ ନୀତି ସମ୍ପୂର୍ଣ୍ଣ ରୂପେ ଦେଶର ସ୍ୱାର୍ଥ ଉପରେ ଆଧାରିତ। ଆର୍ଥିକ ସହଯୋଗକୁ ବୃଦ୍ଧି କରିବା ଏବଂ ପାରସ୍ପରିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ପାଇଁ ଆମେ ଅନେକ ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର କରିଛୁ। ବିଶ୍ୱ ଦକ୍ଷିଣ (ଗ୍ଲୋବାଲ୍ ସାଉଥ୍) ଦେଶଗୁଡ଼ିକ ମଧ୍ୟରେ ଆମେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବାବେଳେ ବିଶ୍ୱ ଦରବାରରେ ଭାରତର ସମ୍ମାନ ଏବଂ ଗାର୍ହିମା ଆହୁରି ବୃଦ୍ଧି ପାଇଛି।