ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟାପାର କମିଟି ବୈଠକ। ରାଜ୍ୟର ଚାଷୀ ସମସ୍ୟା, ଏମଏମଡିଆର (MMDR) ସଂଶୋଧନ ବିଲ୍ ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ଭଳି ଜ୍ୱଳନ୍ତ ପ୍ରସଙ୍ଗକୁ ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ଡବଲ ଇଞ୍ଜିନ ସରକାରଙ୍କ ଜନମାର୍ଗ ବିରୋଧୀ ନୀତିକୁ କଡା ବିରୋଧ କରି ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସିଧାସଳଖ ଚେତାବନୀ ଦେଇଛି।
ଭାଗଚାଷୀ ଓ ଏସଏଚଜିଙ୍କୁ ନେଇ ସରକାରଙ୍କୁ ଘେରିଲା ବିଜେଡି
ବୈଠକ ପରେ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ସରକାର ସମୟରେ ଭାଗଚାଷୀମାନେ ଅତି ସୁରୁଖୁରୁରେ ପଞ୍ଜୀକରଣ କରୁଥିଲେ। କିନ୍ତୁ ବର୍ତ୍ତମାନର ସରକାର ଭାଗଚାଷୀଙ୍କ ସେହି ଅଧିକାରକୁ ଛଡ଼ାଇ ନେଇଛନ୍ତି। ସରକାର ଚାହୁଁନାହାନ୍ତି ଯେ ଚାଷୀମାନେ ଅଧିକ ଅମଳ କରନ୍ତୁ। ତେଣୁ ପୂର୍ବଭଳି ସହଜରେ ଭାଗଚାଷୀଙ୍କ ପଞ୍ଜୀକରଣ ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି।
ସେହିପରି ଗତ ସରକାର ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକୁ ଧାନ କିଣିବାର ସୁଯୋଗ ମିଳିଥିଲା, ମାତ୍ର ବର୍ତ୍ତମାନର ସରକାର ୫୮୦ରୁ ଅଧିକ ଏସଏଚଜିଙ୍କୁ ବନ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତିକୁ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯିବ ଏବଂ ସମସ୍ୟାର ସମଧାନ ନହେଲେ ରାଜରାସ୍ତାକୁ ଓହ୍ଲାଯିବ ବୋଲି ଶ୍ରୀମତୀ ମଲ୍ଲିକ ଚେତାବନୀ ଦେଇଛନ୍ତି।
ସାଂସଦ ମାନସ ମଙ୍ଗରାଜ ଏବଂ ସାଂସଦ ସନ୍ତ୍ରୁପ୍ତ ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଓଡ଼ିଶାରୁ ୨୦ ଜଣ ସାଂସଦ ଥାଉଥାଉ କିପରି ଓଡ଼ିଶା ବିରୋଧୀ ଏମଏମଡିଆର (MMDR) ବିଲ୍ ପାସ୍ ହେଲା? ଏହି ବିଲ୍ କାରଣରୁ ବାର୍ଷିକ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର କ୍ଷତି ସହିବ ଓଡ଼ିଶା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଖାତିର କରାଗଲା ନାହିଁ। 'ଡବଲ ଇଞ୍ଜିନ' ସରକାର ନାଁରେ ଓଡ଼ିଶାକୁ ଲୁଟ୍ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାସହ ପାଠ୍ୟପୁସ୍ତକରେ ଭୁଲ୍ ତଥ୍ୟ ପଶ୍ଚାଇ ସରକାର ରାଜ୍ୟର ଗୋଟିଏ ପିଢ଼ିର ଭବିଷ୍ୟତକୁ ନଷ୍ଟ କରିବାକୁ ବସିଛନ୍ତି ବୋଲି ବିଜେଡି ନେତାମାନେ ମତ ପ୍ରକାଶ କରିଛନ୍ତି।
ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ
ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ପ୍ରତି ଯେକୌଣସି ଆଞ୍ଚ ଆସିଲେ ବିଜୁ ଜନତା ଦଳ ଚୁପ୍ ବସିବ ନାହିଁ। ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଦଳ କଡ଼ା ଲଢ଼େଇ ଜାରି ରଖିବ। ଆଗାମୀ ଦିନରେ ଜନସାଧାରଣଙ୍କ ସମସ୍ୟାକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିବ ବୋଲି ରଣନୀତି ପ୍ରସ୍ତୁତ ହୋଇଛି।