ଭୁବନେଶ୍ୱର: ବିଜେପି ସାଂସଦମାନେ ଓଡ଼ିଶାବାସୀଙ୍କ ମୁହଁରେ କଳା ବୋଳିଥିବା ନେଇ ବିଜେଡି ନେତା ରାଜା ସ୍ୱାଇଁ ଆଣିଥିବା ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ଏହାର କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ସାଂସଦ ପ୍ରଦୀପ ପୁରୋହିତ। ରାଜ୍ୟର ବିକାଶ ଏବଂ ସାଂସଦମାନଙ୍କ ଭୂମିକାକୁ ନେଇ ସେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି।
ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଓଡ଼ିଶାରୁ ନିର୍ବାଚିତ ହୋଇଥିବା ସମସ୍ତ ୨୦ ଜଣ ସାଂସଦ ରାଷ୍ଟ୍ର ନିର୍ମାଣ ଏବଂ ଏକ 'ବିକଶିତ ଓଡ଼ିଶା' ଗଠନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାର ସ୍ୱାର୍ଥ ଏବଂ ଅଗ୍ରଗତି ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବିଜେଡିକୁ କଟାକ୍ଷ
ବିଜୁ ଜନତା ଦଳକୁ ଟାର୍ଗେଟ୍ କରି ଶ୍ରୀ ପୁରୋହିତ କହିଛନ୍ତି, "ବିଜୁ ଜନତା ଦଳ ୨୪ ବର୍ଷର ଶାସନ କାଳରେ ଓଡ଼ିଶା ପାଇଁ ପ୍ରକୃତରେ କ’ଣ କଲା ଏବଂ କେନ୍ଦ୍ରରେ ରାଜ୍ୟର ସ୍ୱାର୍ଥ ପାଇଁ କେବେ କ’ଣ ଦାବି ରଖିଥିଲା, ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି। ଜନସାଧାରଣ ସବୁକିଛି ବୁଝିପାରିଥିବାରୁ ହିଁ ବିଜେଡିକୁ ସମାପ୍ତ କରିଦେଇଛନ୍ତି।"
ଲୋକସଭାରେ ପାରିତ ହୋଇଥିବା ଐତିହାସିକ ଏମଏମଡିଆର (MMDR) ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ, ଏହି ଆଇନ ଦ୍ୱାରା ଯେଉଁ ଅଞ୍ଚଳଗୁଡ଼ିକରେ ଖଣି ରହିଛି, ସେହି ଅଞ୍ଚଳଗୁଡ଼ିକ ବିଶେଷ ଭାବରେ ଲାଭବାନ ହେବେ। ଏହା ଓଡ଼ିଶାରେ ଦୀର୍ଘକାଳୀନ ବିକାଶର ପଥ ପରିଷ୍କାର କରିବ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରୁ ଦେଶର ପୂର୍ବାଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରିଥିଲେ। ଓଡ଼ିଶାରେ ପୂର୍ବରୁ ବିଜେପି ସରକାର ନଥିଲେ ମଧ୍ୟ କେନ୍ଦ୍ର ସରକାର ୨୦୧୪ରୁ ୨୦୨୪ ମଧ୍ୟରେ ରାଜ୍ୟର ବିକାଶ ନିମନ୍ତେ ପ୍ରଚୁର ଅର୍ଥ ଯୋଗାଇ ଦେଇଛନ୍ତି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି।