ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନବାଗତ ସଦସ୍ୟ ରାଘବ ଚଢ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶନିବାର ସକାଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ରାଘବ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମୟ ଏବଂ ମାର୍ଗଦର୍ଶନ ପାଇଁ ସେ କୃତଜ୍ଞ ରହିବେ ବୋଲି କହିଛନ୍ତି ।
ରାଘବ ତାଙ୍କ ସୋସିଆଲ୍ ମିଡ଼ିଆ ହ୍ୟାଣ୍ଡେଲ୍ ଏକ୍ସରେ ଲେଖିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା । ଉଭୟଙ୍କ ମଧ୍ୟରେ ଏକ ବିସ୍ତୃତ ଏବଂ ସମୃଦ୍ଧ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସମୟ ଏବଂ ମାର୍ଗଦର୍ଶନରୁ ଲାଭ ଉଠାଇବାର ସୁଯୋଗ ମିଳିଥିବାରୁ ସେ ଗଭୀର କୃତଜ୍ଞ ବୋଲି ଚଢ଼ା କହିଛନ୍ତି ।
ତେବେ ଏହି ଖବର ଏଭଳି ସମୟରେ ଆସିଛି ଯାହାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନବାଗତ ସମସ୍ତ ଏନଡିଏ ସାଂସଦଙ୍କ ସହିତ ଜଳଖିଆ ବୈଠକ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ୪୫ ଜଣ ସାଂସଦଙ୍କ ସହ ଏକ ଜଳଖିଆ ବୈଠକ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଦଳ ପରିବର୍ତ୍ତନ କରି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇଛନ୍ତି । ଜଳଖିଆ ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ବିରୋଧ ଯୋଗୁଁ ବାରମ୍ବାର ବାଧା ସୃଷ୍ଟି ହେଉଥିବା ନେଇ ଚିନ୍ତା ପ୍ରକାଶ କରିଥିବା ଜଣାପଡିଛି । ଯାହା ଅନେକ ସାଂସଦଙ୍କୁ କହିବା ଏବଂ ସଂସଦୀୟ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ସୀମିତ କରିଛି ।