ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟା ଏଣିକି ଆହୁରି ସରଳ ହେବ। କର୍ମଚାରୀଙ୍କ ପରିବାରକୁ ଆଶ୍ୱସ୍ତ କରି ରାଜ୍ୟ କ୍ୟାବିନେଟ ଅନୁକମ୍ପା ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି।
ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଓଡ଼ିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ-୨୦୨୦କୁ ବାତିଲ କରି ନୂଆ ୨୦୨୬ ନିୟମାବଳୀକୁ ଅନୁମୋଦନ କରାଯାଇଛି।
ନୂଆ ନିୟମରେ ଅନୁକମ୍ପା ନିଯୁକ୍ତି ପାଇଁ ପୂର୍ବରୁ ରହିଥିବା ୧୦୦ ପଏଣ୍ଟ ମୂଲ୍ୟାୟନ ବ୍ୟବସ୍ଥା ହଟାଇ ଦିଆଯାଇଛି। ସେହିପରି ଗ୍ରୁପ୍-ଡି ପଦବୀରେ ଅନୁକମ୍ପା ନିଯୁକ୍ତି ପାଇଁ ଥିବା ୫୦ ପ୍ରତିଶତ ସୀମା ମଧ୍ୟ ହଟିଛି।
ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି, ମୃତ କର୍ମଚାରୀଙ୍କ ପତି କିମ୍ବା ପତ୍ନୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିଲେ ଏବଂ ସେ ନିଯୁକ୍ତି ନେବାକୁ ଅନିଚ୍ଛୁକ ଥିଲେ, ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ନିଯୁକ୍ତି ପାଇଁ ମନୋନୀତ କରିପାରିବେ। ପୂର୍ବ ନିୟମର ୧୦୦ ପଏଣ୍ଟ ବ୍ୟବସ୍ଥା ଯୋଗୁଁ ପ୍ରତ୍ୟାଖ୍ୟାନ ହୋଇଥିବା କିମ୍ବା ବିଚାରାଧୀନ ଥିବା ଆବେଦନଗୁଡ଼ିକୁ ମଧ୍ୟ ପୁନଃବିଚାର କରାଯିବ।
ଅସହାୟ ଶିଶୁଙ୍କ ପାଇଁ ବଡ଼ ନିଷ୍ପତ୍ତି
କ୍ୟାବିନେଟ ବୈଠକରେ ଯଶୋଦା ଓ ଆଶୀର୍ବାଦ ଯୋଜନାର ଅବଧି ଆଉ ୫ ବର୍ଷ ବଢ଼ାଇବାକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୨୯୬.୯୯ କୋଟି ଟଙ୍କା ବ୍ୟୟ ହେବ।
ବାପା-ମା’ ଛେଉଣ୍ଡ ଶିଶୁ, ଦିବ୍ୟାଙ୍ଗ ପିତାମାତାଙ୍କ ଶିଶୁ, ଏଚ୍ଆଇଭି ଆକ୍ରାନ୍ତ ଶିଶୁ ଏବଂ କୋଭିଡ୍ ସମୟରେ ପରିବାରର ଏକମାତ୍ର ରୋଜଗାରିଆଙ୍କୁ ହରାଇଥିବା ଶିଶୁଙ୍କ ପୁନର୍ବାସରେ ଏହି ଯୋଜନା ସହାୟକ ହେବ।
୧୪.୭୬ ଲକ୍ଷ ପିଲା ପାଇବେ ଲାଭ
ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାର ଅବଧି ୨୦୩୦-୩୧ ପର୍ଯ୍ୟନ୍ତ ବଢ଼ାଯାଇଛି। ଏଥିପାଇଁ ୫୮୬.୫୦ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର ହୋଇଛି। ଏହାଦ୍ୱାରା ୩ରୁ ୬ ବର୍ଷ ବୟସର ପ୍ରାୟ ୧୪.୭୬ ଲକ୍ଷ ପ୍ରାକ୍ ବିଦ୍ୟାଳୟ ଶିଶୁ ଉପକୃତ ହେବେ। ଶିଶୁମାନଙ୍କୁ ୟୁନିଫର୍ମ, ଜୋତା, ମୋଜା ଓ ସ୍ବେଟର ପ୍ରଦାନ ସହ ଅତିରିକ୍ତ ଗୋଟିଏ ହଳ ମୋଜା ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ସେମିକଣ୍ଡକ୍ଟର ନୀତିରେ ସଂଶୋଧନ
ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସେମିକଣ୍ଡକ୍ଟର ନୀତିରେ ତୃତୀୟ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହାଦ୍ୱାରା ସେମିକଣ୍ଡକ୍ଟର ଉପକରଣ, ସେମିକଣ୍ଡକ୍ଟର ଗ୍ରେଡ୍ ରାସାୟନିକ ପଦାର୍ଥ ଓ ଅନ୍ୟାନ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ। ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ୨୫ ପ୍ରତିଶତ ଅତିରିକ୍ତ ସହାୟତା ମିଳିବ।
ଏଥିସହ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କାଗଜମୁକ୍ତ କରିବା ଲକ୍ଷ୍ୟରେ ଓସ୍ବାସ୍ ବ୍ୟବସ୍ଥାର ଉନ୍ନତି ପାଇଁ ୧୨୨ କୋଟି ୬୦ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି।
ଅନ୍ୟପଟେ, ଚାଷୀ ପଞ୍ଜୀକରଣ ପାଇଁ ଏଗ୍ରିଷ୍ଟାକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହି ସମସ୍ତ ନିଷ୍ପତ୍ତି ରାଜ୍ୟର କୃଷକ, ଶିଶୁ, ସରକାରୀ କର୍ମଚାରୀଙ୍କ ପରିବାର ଏବଂ ଶିଳ୍ପ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।