ଭୁବନେଶ୍ୱର: କଟକ ନିଶ୍ଚିତକୋଇଲି ଥାନା ଅଧିନସ୍ଥ ଶୁକରପଡ଼ାରେ ଏକ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି ରହିଛି । ପୋଲିସ ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି । ଖୁବଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାର ସମ୍ଭାବନା ଦେଖା ଦେଇଛି ।
ଗତ ମଙ୍ଗଳବାର ଦିନ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଏକ କାରରେ ଭୁବନେଶ୍ୱରରୁ ସାଲେପୁର ରାସ୍ତା ଦେଇ କେନ୍ଦ୍ରାପଡ଼ା ଯାଉଥିବାବେଳେ ଶୁକରପଡ଼ା ଡାକବଙ୍ଗଳା ନିକଟରେ ବିଶ୍ରାମ ନେଉଥିଲେ । ରାସ୍ତା କଡ଼ାରେ ଗାଡ଼ି ଅଟକାଇଥିବାବେଳେ କିଛି ଅଜଣା ବ୍ୟକ୍ତି ସେମାନଙ୍କ କାର୍ କବାଟ ବାଡ଼େଇଥିଲେ । ଏମାନେ ନ ଖୋଲିବାରୁ ଏକ ଚିମୁଟା ସାହାଯ୍ୟରେ କାର କବାଟକୁ ତାଡ଼ି ଯୁବତୀଙ୍କୁ ଘୋଷାଡ଼ ଘୋଷାଡ଼ି ନେଇଯାଇଥିଲେ । ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହିତ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ । ବୁଧବାର ଭୋର ସମୟରେ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ ।
ଏ ନେଇ ସେମାନେ ନିଶ୍ଚିତ କୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ ଅତିରିକ୍ତ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଛି । ଯେଉଁଥିରେ ଜଣେ ମହିଳା ପୋଲିସ ମଧ୍ୟ ରହିଛନ୍ତି । ସାଲେପୁର ଏସଡିପିଓ ଓ ଗ୍ରାମାଞ୍ଚଳ ଏସପି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତେବେ ଏଥିରେ କିଛି ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।